ପୁରୀ: ସହରର ଜମିଜମା ସମସ୍ୟା ସମାଧାନ ଦାବି କରି ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ। ଏନେଇ ଭିଟାମାଟି ଅଧିକାର ମଞ୍ଚର ସଦସ୍ୟମାନେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଛନ୍ତି।
ପୁରୀ ସହରର ଜମିଜମା ସମ୍ପର୍କରେ ଆଜି (ମଙ୍ଗଳବାର) ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଉଥିବାବେଳେ ଏହାକୁ ପୁରୀ ସହରର ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି। ମଞ୍ଚର ଶତାଧିକ ସଦସ୍ୟ ପରିଚାଳନା କମିଟି ବୈଠକ ଚାଲିଥିବା ନିଳାଦ୍ରି ଭକ୍ତ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁରୀ ସହର ଓ ଆଖପାଖର ପ୍ରାୟ ୮୦ ହଜାର ପରିବାରର ଜମିଜମା ଏବେ ଶ୍ରୀମନ୍ଦିର ମାଲିକାନା ସତ୍ତ୍ବକୁ ଚାଲିଯାଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବଡ ସମସ୍ୟାରେ ପଡିଛନ୍ତି ।
ମାଲିକାନା ସତ୍ତ୍ବ ଫେରି ପାଇବା ପାଇଁ ରାଜ୍ୟ ସରକାର ୟୁନିଫାଏଡ ପଲିସି କରିଛନ୍ତି । ଏହା ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଛି। ଏହାକୁ ବିରୋଧ କରି ଅଧିକାର ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ