ପୁରୀ: ବଡ ଆଖଡା ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ । ଉଚ୍ଛେଦକୁ ଅଖିଳ ଭାରତୀୟ ସାଧୁସନ୍ଥ ସମିତି ପକ୍ଷରୁ ଜୋରଦାର ପ୍ରତିବାଦ ହେବାରୁ ଆଜି ପାଇଁ ବନ୍ଦ ରହିଲା ଉଚ୍ଛେଦ ପ୍ରକ୍ରିୟା ।
ବଡ ଆଖଡା ମଠ ଉଚ୍ଛେଦ ନେଇ ସାଧୁସନ୍ଥଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଆଜି ଅପରାହ୍ନରେ ଉଚ୍ଛେଦ ବେଳେ ବିରୋଧ କରିଥିଲେ ବିଭିନ୍ନ ସାଧୁସନ୍ଥ ସଂଗଠନ। ବଡ ଅଖଡା ମଠ ଛାତରେ କୀର୍ତ୍ତନ କରି ପ୍ରତିବାଦ କରିଥିଲେ ସାଧୁସନ୍ଥ ଓ ତାଙ୍କ ଅନୁଗାମୀ । ଫଳରେ ଆଜି ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଛି ପ୍ରଶାସନ।
ପରେ ସାଧୁସନ୍ଥଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ତେବେ ଆଲୋଚନା ଭଲ ହୋଇଥିବା କହିଛି ଅଖିଳ ଭାରତୀୟ ସାଧୁସନ୍ଥ ସମିତି । ସାଧୁସନ୍ଥଙ୍କ ଦାବିକୁ ଜିଲ୍ଲାପାଳ ଗ୍ରହଣ କରିଥିବା କହିଛି ସମିତି । ସେପଟେ ଉଚ୍ଛେଦ ପ୍ରକ୍ରିୟା 2ରୁ 3 ଦିନ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ସରକାର ସମସ୍ତ ମଠ, ମନ୍ଦିରର ସୁରକ୍ଷା ପାଇଁ ବଧ ପରିକର । କୌଣସି ଗୁଜବରେ ବିଶ୍ବାସ ନ କରିବାକୁ ସେ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ