ପୁରୀ: ଚଳିତ ପଞ୍ଚାୟତ ନିର୍ବାଚନରେ କିଛି ଅଲଗା ହେବାକୁ ଯାଉଛି । ନିର୍ବାଚନୀ ଉଷ୍ଣତା ଯେତିକି ବଢୁଛି ଉତ୍କଣ୍ଠା ମଧ୍ୟ ବଢୁଛି । ସମାଜର ସାମୂହିକ ବିକାଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି କିଛି ଉଚ୍ଚଶିକ୍ଷିତା । ସେମାନଙ୍କ ମଧ୍ୟରୁ ଜଣେ ଚେହେରା ପାଲଟିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ନନ୍ଦିପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ଶୁଭସ୍ମିତା ସାହୁ ।
ଡିପ୍ଲୋମା ପରେ ମୁମ୍ବାଇର ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିୟର ଭାବେ ଭଲ ଦରମାରେ ଚାକିରି କରୁଥିଲେ ଶୁଭସ୍ମିତା । ହେଲେ ସମାଜସେବା ପ୍ରତି ଥିବା ଆଗ୍ରହ ତାଙ୍କୁ ଚାକିରିର ମୋହରେ ବାନ୍ଧି ପାରିନାହିଁ । ଚାକିରି ଛାଡି ନିଜ ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଶୁଭସ୍ମିତା । ପୁରୀ ଜିଲ୍ଲା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୪ ବର୍ଷୀୟା ଶୁଭସ୍ମିତା ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ବାପା,ମାଙ୍କ ପ୍ରେରଣାରେ ଜନସେବା ପ୍ରତି ମନ ବଳାଇ ସେହି ଲକ୍ଷ୍ୟ ପୂରଣ ପାଇଁ ରାଜନୀତି ମଇଦାନକୁ ଆସିଥିବା କୁହନ୍ତି ଶୁଭସ୍ମିତା । ନାରୀ ନିର୍ଯ୍ୟାତନା, ଅଞ୍ଚଳରେ ପର୍ଯ୍ୟଟନର ବିକାଶ, ଦାରିଦ୍ର୍ୟ ଦୂରୀକରଣ, ପାନୀୟ ଜଳ ସମସ୍ୟା ସମାଧାନ ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ବେଶ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।
ଘରୋଇ କଲେଜରୁ ଡିପ୍ଲୋମା ଶେଷ କରିବା ପରେ ମୁମ୍ବାଇରେ ଚାରିକିରେ ଯୋଗ ଦେଇଥିଲେ । ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳି ନଥିଲା । ଜନ୍ମଭୂମି ପାଇଁ ସେବା କରିବାର ଇଚ୍ଛା ପାଇଁ ସେ ସୁଯୋଗ ଖୋଜୁଥିଲେ । ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ରାଜନୀତି ମାଧ୍ୟମରେ ସ୍ବପ୍ନ ପୂରଣ କରିବା ପାଇଁ ଚାକିରି ଛାଡିଛନ୍ତି ଶୁଭସ୍ମିତା । ଶୁଭସ୍ମିତା ଏବେ ସିଭିଲରେ ବିଟେକ କରୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ