ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ । କୋଭିଡ-19 ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ରହିଥିଲା । ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରୁ ଉଚ୍ଛେଦ କାର୍ଯ୍ୟ ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ।
ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ବାସେଳିସାହି ମୌଜାରୁ ଉଚ୍ଛେଦ କରାଯାଉଛି । 75 ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇଟି ଡ୍ରୋଜର ଲଗାଯାଇଛି । ଉଚ୍ଛେଦ ଗଳି ଭିତରୁ କରାଯାଉଥିବାରୁ ଆଗ ଭାଇବ୍ରେଟର ଲଗାଯାଇ ଛାତକୁ କଣା କରାଯାଉଥିବା ସହ ତା ପରେ କୋଠାକୁ ଭଙ୍ଗା ଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ।
ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟ 75 ମିଟର ପରିଧିକୁ ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ 60 ଭାଗ ଉଚ୍ଛେଦ ସରିଥିବା ବେଳେ କୋରୋନାକୁ ନେଇ କାର୍ଯ୍ୟ ବନ୍ଦ ରହିଥିଲା । ହେଲେ ଏବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁଣି ଉଚ୍ଛେଦ ଆରମ୍ଭ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ