ପୁରୀ: ସଦର ଶାସନ ଦାମୋଦରପୁର କୈବଲ୍ୟ ବାଟିକା ଅଞ୍ଚଳରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସର ଚଢାଉ । ମଙ୍ଗଳବାର ସନ୍ଧ୍ୟା ସମୟରେ 8 ଜଣ ଜୁଆଡିକୁ ଗିରଫ କରିଛି ସଦର ଥାନା ପୋଲିସ । ଗିରଫ ବେଳେ ସେମାନଙ୍କ ଠାରୁ 62 ହଜାର ଟଙ୍କା, 10 ଟି ମୋବାଇଲ ସହ ଏକ ହୋଣ୍ଡା କାର ଜବତ କରାଯାଇଛି । କୌଣସି ଏକ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜୋବ୍ରା ଅଞ୍ଚଳର ଅଭୟ କୁମାର ବେହେରା, ବାଦାମବାଡି ଅଞ୍ଚଳର ଛବିନ୍ଦ୍ର ରାଉତ, କଟକ ମାଲଗୋଦାମ ଅଞ୍ଚଳର ବିନାୟକ ଚନ୍ଦ୍ର ପତି, ଖୋର୍ଦ୍ଧା ବଡଗଡା ଅଞ୍ଚଳର ରମାନାଥ ପାତ୍ର, ଖଣ୍ତଗିରି ଅଞ୍ଚଳର ଏମ୍ ଡି.ରିଆଜ ଅହମଦ, ପୁରୀ ବାସେଳୀ ସାହି ଲୋକନାଥ ରୋଡର ସନ୍ଦିପ କିଶୋର ମେହଟା ଓ ପୁରୀଘାଟ ଥାନା ଅଞ୍ଚଳର ଆକାଶ ବେହେରା । ଗତକାଲି ପୋଲିସ ଏମାନଙ୍କୁ ଗିରଫ କରିଥିବାବେଳେ ଆଜି କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ