ପୁରୀ: ଏମାର ମଠରୁ ପୁଣି 45 ରୁପା ଇଟା ଉଦ୍ଧାର । 2011 ମସିହାରେ ରୂପା ଇଟା ମାମଲାରେ ଚର୍ଚ୍ଚିତ ଥିବା ପୁରୀ ଏମାର ମଠରୁ ଶନିବାର ପୁଣି 45 ଟି ରୁପା ଇଟା ଉଦ୍ଧାର କରିଛି ଦେବୋତ୍ତର ବିଭାଗ ଓ ପୋଲିସ। ମଠର 4 ନମ୍ୱର କୋଠାରୀରୁ ରୁପା ଇଟା ଉଦ୍ଧାର କରାଯାଇଛି।
2010 ମସିହାରୁ ଏହା ଏମାର ମଠ ମହନ୍ତଙ୍କ ଦାୟିତ୍ୱରେ ଥିଲା। ତେବେ ନୂଆ ଟ୍ରଷ୍ଟ କାର୍ଯ୍ୟ ଭାର ହାତକୁ ନେବା ପରେ ଦେବୋତ୍ତର ବିଭାଗ ଓ ପୋଲିସ ଏହି 45 ଖଣ୍ଡ ରୁପା ଇଟାକୁ ନିଜ ହେପାଜତକୁ ନେଇଛି। ଚଟାଣ ତଳେ ଥିବା ଅବସ୍ଥାରେ ଏହା ଉଦ୍ଧାର ହୋଇଛି।
ଗତ 2011 ମସିହାରେ ମଧ୍ୟ 522 ଖଣ୍ଡ ରୁପା ଇଟା ଉଦ୍ଧାର ହୋଇଥିଲା। ଇଟାଗୁଡିକକୁ ପୁରୀ ପୋଲିସର ଜିଲ୍ଲା ଅସ୍ତ୍ରୋଗାରରେ ରଖାଯାଇଛି। । ଶନିବାର ଦିତୀୟ ଦିନରେ ମଧ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ମଠ ଭିତରେ ବିଭିନ୍ନ କୋଠରୀ ତଦାରଖ କରାଯାଉଛି ।
ଗତକାଲି ଏମାର ମଠ ମହନ୍ତଙ୍କ ଠାରୁ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଦାୟିତ୍ବ ନେବା ମଠ ସାମଗ୍ରୀ, ଅଳଙ୍କାର ଯାଞ୍ଚ ଆରମ୍ଭ ହୋଇଛି। ଶୁକ୍ରବାର ରୂପା ତାରକଶିର କାରୁକାର୍ଯ୍ୟ ମଣ୍ଡିତ ଗଛ ଯାହାକି ଅଳଙ୍କାର ଭାବରେ ଝୁଲଣ ସମୟରେ ଠାକୁର ମାନଙ୍କୁ ସୁଶୋଭିତ କରିଥାଏ ତାହା ଦେଖିବାକୁ ମିଳିଥିଲା।
ଏହାସହ ଅନେକ ବର୍ଷ ପୁରାତନ ୧୬ଟି ଲୁହାର ଖଣ୍ଡା ସହ ବ୍ରୋଞ୍ଜ ଗାଈ ସହ ଅନେକ ଅଳଙ୍କାର, ଆସବାବପତ୍ର ଉଦ୍ଧାର କରାଯାଇଛି ମଠରୁ। ଝୁଲଣ ସମୟରେ ଠାକୁରଙ୍କୁ ଭିନ୍ନ ସମୟରେ ପୂଜା କରାଯାଉଥିବା ସମୟରେ ଏହି ରୂପା ତାରକଶିରେ ଠାକୁର ମଣ୍ଡିତ ହୋଇଥାନ୍ତି। ସେହିପରି ଛୋଟ ବଡ ହୋଇ ତିନୋଟି ରୂପା ତାରକଶିର ଗଛ ସହ ଫୁଲ ଓ ରୂପାର ଢାଳ, ତସଲା ମଧ୍ୟ ଥିବା ଦେଖିବାକୁ ମିଳିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ