କେନ୍ଦୁଝର: ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ NH ୫୨୦, ନାରଦପୁର ଶିଶୁମନ୍ଦିର ଛକ ନିକଟରେ ଗତ ମଧ୍ୟ ରାତ୍ରିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିବା ପରେ ଟ୍ରଲରରେ ନିଆଁ ଲାଗିବା ମାତ୍ରେ ଟ୍ରଲରଟି ଜଳି ଯାଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର ଓ ହେଲପର ।
ସୂଚନା ଅନୁଯାୟୀ, OR09Q4023 ନମ୍ବର ଥିବା ଏକ ହାଇୱା ବ୍ରେକଡାଉନ୍ ହୋଇ ରାସ୍ତା କଡରେ ଠିଆ ହୋଇଥିଲା । ତେବେ ଯୋଡ଼ା ପଟୁ ଲୁହାପଥର ବୋଝେଇ CG07CA6847 ନଂର ଏକ ଟ୍ରେଲର ଦ୍ରୁତ ଗତିରେ ଆସି ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଏହା ଧକ୍କା ଜୋରରେ ହୋଇଥିବା କାରଣରୁ ଟ୍ରଲରର କ୍ୟାବିନ ଚୁରମାର ହେବାସହ ସେଥିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଟ୍ରଲର ଡ୍ରାଇଭର ଓ ହେଲ୍ପର ଗାଡ଼ି ଭିତରୁ ବାହାରି ପାରିନଥିଲେ ।
ଦେଖୁଦେଖୁ ହୁତୁହୁତୁ ହୋଇ ଜଳୁଥିବା ଟ୍ରଲର ଭିତରେ ଉଭୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ନିଆଁ ଲାଗିବା ଦେଖି ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ୨ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା । ଚମ୍ପୁଆ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ମୃତ ଡ୍ରାଇଭର ଓ ହେଲ୍ପରଙ୍କ ପରିଚୟ ମିଳିପାରିନାହିଁ । ଚମ୍ପୁଆ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ