କେନ୍ଦୁଝର: ବାପାକୁ କୋଦାଳରେ ପିଟି ନିର୍ମମ ଭାବରେ ହତ୍ୟା କରିଛି ପୁଅ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ କିରିକିଚିଆ ସାହିରେ ।
ସିଂହବିଲା ଗ୍ରାମର ଗୋପାଳ ସାହୁଙ୍କୁ ତାଙ୍କ ବଡପୁଅ ମଦନ ସାହୁ କୌଣସି କାରଣରୁ ଆଜି ଘର ବାରଣ୍ଡାରେ କୋଦାଳ ବେଣ୍ଟରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି । କେବଳ ଏତିକି ନୁହେଁ ବାପାକୁ ହତ୍ୟା କରି ଘୋଷାଡ଼ି ଘୋଷାଡ଼ି ଘରକୁ ଲାଗିଥିବା ବଗିଚାରେ ଫିଙ୍ଗିଦେଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଗୋପାଳଙ୍କ ବଡପୁଅ ମଦନ ଅନେକ ସମୟରେ ନିଶାସକ୍ତ ହୋଇ ଗୋପାଳଙ୍କୁ ମାରପିଟ କରନ୍ତି । ହେଲେ ଆଜି ଘରେ ଗୋପାଳ ଓ ତାଙ୍କ ପତ୍ନୀ ସୁନେଇ ଥିବା ବେଳେ ମଦନ ଘରେ ପହଞ୍ଚି ଗୋପାଳଙ୍କୁ କୌଣସି କାରଣରୁ ପିଟିବା ଆରମ୍ଭ କରିଥିଲେ । ଏହା ଦେଖି ମାଆ ସୁନେଇ ଭୟଭୀତ ହୋଇ ପଡୋଶୀ ଲୋକଙ୍କୁ ଡାକିବା ପାଇଁ ଦୌଡି ଯାଇଥିଲେ । ହେଲେ ଘରକୁ ଫେରିବା ପରେ ମଦନ ବାପାଙ୍କୁ ହତ୍ୟା କରିସାରିଥିଲା ।
ପଡୋଶୀ ଏହାକୁ ଦେଖି ମଦନକୁ ଧରି ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କ ମୃତଦେହ ଓ ଗୁହାଳରେ ଲୁଚାଯାଇଥିବା କୋଦାଳକୁ ଜବତ କରିଛି । ପରେ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ