କେନ୍ଦୁଝର: ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା କୋଡାକଳା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋରୁପଲ ବିରି ଖାଇ ଦେବାରୁ ଗାଈ ଚରାଳୀ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ।
ମୃତକଙ୍କ ପରିଚୟ ନୀଳଗିରି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଗ୍ରାମର ଜଗଦୀଶ ଦେହୁରୀ, ସାଗୁ ଦେହୁରୀ, ନୀଳଗିରି ଗାଁ ପାଖ ଜଙ୍ଗଲରେ ଗାଈ ଚରାଉଥିଲେ । ତେବେ ଗୋରୁ ପଲରୁ କିଛି ଗାଈ ଚଷା ଦେହୁରୀଙ୍କ ଘର ଅଗଣାରେ ଚାଷ କରିଥିବା ବିରି ବାଡିରେ ପଶି ବିରି ଖାଇ ଦେଇଥିଲେ । ଗୋରୁ ପଲ ବିରି ଖାଇଦେବାରୁ ଚଷା ରାଗିଯାଇ ଜଗଦୀଶ, ସାଗୁ ଓ ନୀଳକୁ ଏକ ଟାଙ୍ଗିଆରେ ପ୍ରଥମେ ଆକ୍ରମଣ କରିଥିଲା ଏହି ସମୟରେ ସାଗୁ ଓ ଜଗଦୀଶ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ ।
ପରେ ନୀଳ ଓ ଚଷାର କିଛି ସମୟ ସଂଘର୍ଷ ହୋଇଥିଲା । ଉଭୟ ଉଭୟଙ୍କୁ ପ୍ରତି ଆକ୍ରମଣ କରିବା ପରେ ଚଷା ନୀଳଙ୍କୁ ଏକ ଚଢେଇ ମରା ବାଟୁଳିରେ ତୀର ଲଗାଇ ଆକ୍ରମଣ କରିଥିଲେ । ଫଳରେ ତୀରଟି ନୀଳର ପେଟରେ ପଶି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପରେ ଘଟଣା ବିଷୟରେ ଜଗଦୀଶ ଓ ସାଗୁ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ରାତିରେ ପୋଲିସକୁ ଜଣାଇବା ପରେ ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଚଷାକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ