ନିଆଳି: ପୁଣି ଯୌତୁକ ଜୁଇରେ ଜଳିଲା ବଧୂ । ଯୌତୁକ ପାଇଁ ବଧୂକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଷଡଯନ୍ତ୍ର ରଚିଥିଲେ ଶାଶୁଘର । ହତ୍ୟା ଅଭିଯୋଗ ପରେ ସ୍ବାମୀ ଓ ଦେଢଶୁରଙ୍କୁ ଅଟକ ରଖିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ପୋଖରୀ ଗାଁ ରାଣିପଡ଼ା ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ରାଣିପଡ଼ା ଗ୍ରାମର ମନୋଜ ଦାସଙ୍କ ସ୍ତ୍ରୀ ରୁପାଲି ଦାସ ।
ସୂଚନାନୁୟାୟୀ, ଗତକାଲି ସନ୍ଧ୍ୟାରେ ରୁପାଲି ଦାସ ଆତ୍ମହତ୍ୟା କରିଥିବା ଦର୍ଶାଇ ଶାଶୁଘର ଲୋକେ ମୃତଦେହ ଦାହ କରିବା ପାଇଁ ନେଇ ଯାଇଥିଲେ । ଏନେଇ ଖବରପାଇ ରୁପାଲିଙ୍କ ବାପା ପଂକୁନା ଦାସ ଝିଅକୁ ହତ୍ୟା କରିଥିବା ନିଆଳି ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେବ ଜବତ କରିବା ସହ ସ୍ଵାମୀ ମନୋଜ ଦାସ ଓ ତାଙ୍କ ବଡ଼ ଭାଇଙ୍କୁ ଥାନାରେ ଅଟକ ରଖିଥିଲେ ।
ଆଜି ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ରୁପାଲି ଦାସଙ୍କ ଘର ଜଗତସିଂହପୁର ନାଉଗାଁ ଅବଦଲପୁର ହୋଇଥିଲା ବେଳେ ସେ ମନୋଜ ଦାସଙ୍କୁ ଜୁନ ୨୦୧୮ ମସିହାରେ ବୈଦିକ ରୀତିନିତିରେ ବିବାହ କରିଥିଲେ । ରୁପାଲିଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ । ଯୌତୁକ ଟଙ୍କା ପାଇଁ ମଧ୍ୟ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା ଧମକ ଦେଉଥିଲେ ବୋଲି ରୂପାଲିଙ୍କ ପରିବାର ଲୋକେ କହିଛନ୍ତି ।
ନିଆଳିରୁ ଉମେଶଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ