କଟକ: ହାଇକୋର୍ଟରେ ଆଦ୍ରଭୂମି ସୁରକ୍ଷା ମାମଲା । ଭୁବନେଶ୍ୱର ସହରର ବର୍ଜ୍ୟଜଳ ଚିଲିକା ଜଳରାଶିକୁ ପ୍ରଦୂଷିତ କରୁଛି । ଏନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୁଆଖାଇରୁ ବାହାରିଥିବା ଗଙ୍ଗୱା ନାଳ ଭୁବନେଶ୍ୱର ସହର ଦେଇ ଦୟା ନଦୀରେ ମିଶିଛି । ଗଙ୍ଗୱା ନାଳରେ ମିଶୁଛି ଭୁବନେଶ୍ୱରର ପ୍ରତ୍ୟେକ ଘରର ବର୍ଜ୍ୟଜଳ । ଦୟାର ଜଳ ଚିଲିକା ଜଳରାଶିକୁ ପ୍ରଦୂଷିତ କରାଉଛି ।
ରାଜ୍ୟ ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଭୁବନେଶ୍ୱର ମହାନଗର ନିଗମ ଏନେଇ ମିଳିତ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଜ୍ୟଜଳକୁ ବିଶୋଧିତ କରି ଗଙ୍ଗୱା ନାଳରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅକ୍ଟୋବର ୨୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ତା ପୂର୍ବରୁ ଏହି ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକର ନିଷ୍ପତ୍ତି ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର । ସେହିପରି ଚିଲିକାରେ ଚିଙ୍ଗୁଡ଼ି ଚାଷ ପାଇଁ ହେବ ସରକାରୀ ପଲିସି । ଚିଲିକାରେ କେଉଁ ସ୍ଥାନରେ କିଭଳି ହେବ ଚିଙ୍ଗୁଡ଼ି ଚାଷ ସେନେଇ ହେବ ଏହି ପଲିସି । ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କରିବେ ଏହି ପଲିସି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଇଟିଭି ଭାରତ, କଟକ