କଟକ: ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି (Flood Fury in Odisha) । ଫଳରେ କଟକରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ମୁଣ୍ଡଳିରେ ପହଞ୍ଚି ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।
ମୁଣ୍ଡଳିରେ ଥିବା କଣ୍ଟ୍ରୋଲ ରୁମ୍ରେ ବନ୍ୟା ଜଳ ନିଷ୍କାସନ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଏହି ଆଲୋଚନାରେ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ସାମିଲ ରହିଥିଲେ । ତେବେ ସ୍ଥିତି ଉପରେ ରାଜ୍ୟ ସରକାର ସମସ୍ତ ନଜର ରଖିଥିବା ନେଇ ସେ ସୂଚନା ଦେଇଛନ୍ତି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ପାଇଛି । ତେବେ ପରିସ୍ଥିତିକୁ ଦେଖି ହୀରାକୁଦର ୮ଟି ଗେଟ୍ ବନ୍ଦ କରାଯାଇଛି । ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଆସନ୍ତାକାଲି (ମଙ୍ଗଳବାର) ପ୍ରାୟ ୧୧ ଲକ୍ଷ କ୍ୟୁସେକ ବନ୍ୟାଜଳ ମୁଣ୍ଡଳିରେ ପ୍ରବାହିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ ସ୍ୱଳ୍ପ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସମସ୍ତ ପ୍ରକାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ।