କଟକ: ପୋଲିସ କବଜାରେ ଦୁଇ କାର ଲୁଟେରା । ଗତ 24 ତାରିଖରେ କାଠଯୋଡ଼ି ବ୍ରିଜ ନିକଟରେ ଘଟିଥିବା ଲୁଟ ଘଟଣାର ତଦନ୍ତ କରି ଦୁଇଜଣ ଲୁଟେରାଙ୍କୁ କାବୁ କରିଛି ପୋଲିସ ।
ସୂଚନାନୁସାରେ, ତେଲେଙ୍ଗାନାର ଅତୁଳ ପ୍ୟାକର୍ସ ଓ ମୁଭର୍ସ ଏଜେନ୍ସିରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଅବଦୁଲ ମଜିଦ କାଠଯୋଡ଼ି ବ୍ରିଜ ନିକଟରେ ଯାତ୍ରୀ ନେଇ କୋଲକାତା ଅଭିମୁଖେ ଯାଉଥିଲେ । ଏହି ସମୟରେ ୪ ଜଣ ଲୁଟେରା ଗାଡିକୁ ଟାର୍ଗେଟ କରିଥିଲେ । ଗାଡିକୁ ଅଟକାଇ ବନ୍ଧୁକ ମୁନରେ ଲୁଟ କରିଥିଲେ ଲୁଟେରା ।
ଏହି ଘଟଣାର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇଁ ଘଟଣାର ମାଷ୍ଟର ମାଇଣ୍ଡ ଜିତୁ ଓ ଚନ୍ଦନକୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪ଟି ଚୋରା କାର,ଦାମୀ ମୋବାଇଲ ଓ ଟଙ୍କା ଜବତ ହୋଇଛି । ଦୁଇ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ । ଏହି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ