ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଉପଭୋକ୍ତାଙ୍କୁ ଲାଗିପାରେ ଝଟକା । ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ । ଆସନ୍ତା ଆର୍ଥିକ ବର୍ଷ ଠାରୁ ଗ୍ରୀଡକୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ OERCକୁ ପ୍ରସ୍ତାବ ଦିଆଯାଇଛି ।
ବଢିବ କି ବିଜୁଳି ଦର ?
ବଢିପାରେ ବିଜୁଳି ଦର । ପ୍ରଭାବିତ ହୋଇପାରନ୍ତି କୋଟିଏ ଉପଭୋକ୍ତା । ଗ୍ରୀଡକୋର ପ୍ରସ୍ତାବକୁ ଓଇଆରସି ଗ୍ରହଣ କଲେ ୟୁନିଟ୍ ପିଛା ୫୪ ପଇସା ବଢିପାରେ ବିଜୁଳି ଦର । ସେପଟେ ଏହି ଦରବୃଦ୍ଧିକୁ ଖଣ୍ଡନ କରିଛନ୍ତି ଶକ୍ତି ମନ୍ତ୍ରୀ । ସୂଚନା ଅନୁସାରେ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଗ୍ରୀଡକୋ ବାର୍ଷିକ ରାଜସ୍ବ ଆବଶ୍ୟକତା ଦରଖାସ୍ତ ଦାଖଲ କରିଛି । ଏଥିରେ ଦର୍ଶାଇଛି ୨୦୨୫-୨୬ ଆର୍ଥିକ ବର୍ଷରେ ୩୮,୮୧୪ ନିୟୁତ ୟୁନିଟ ୪ଟି ବିତରଣକାରୀ କମ୍ପାନୀକୁ ଦେବ । ଏଥିପାଇଁ ୧୫,୩୪୭ କୋଟି ଟଙ୍କା ଆବଶ୍ୟକ । ୟୁନିଟ୍ ପିଛା ୩ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହୋଇପାରିବ। ଓଇଆରସି ସମସ୍ତଙ୍କୁ ଶୁଣିବା ପରେ ଶୁଣାଣି କରିବେ । ଦରବୃଦ୍ଧିକୁ ଖଣ୍ଡନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଦରବୃଦ୍ଧି ନେଇ ହୋଇନି ଆଲୋଚନା:
ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, "ଡିସେମ୍ବର 2025 ସୁଦ୍ଧା ରାଜ୍ୟରେ 3ଲକ୍ଷ ଲୋକଙ୍କ ଘରେ ଲାଗିବ ରୁପଟପ୍ ସୋଲାର । ଏବେ ସୁଦ୍ଧା ଏକ ଲକ୍ଷ ପଚାଶ ହଜାର ଆବେଦନ ଆସିଲାଣି । ବିଜେପି ନିର୍ବାଚନ ଇସ୍ତାହାରରେ ପିଏମ ସୂର୍ଯ୍ୟ ଘର ଯୋଜନା ରଖିଥିଲା । ଏହି ଯୋଜନାରେ ବିଜୁଳି ବିଲ୍ କମ୍ ଆସିବା ସହ ଲୋକଙ୍କୁ ବିଜୁଳି ଦର କମ ଦେବାକୁ ପଡିବ । ୭.୫ ଜିଗାୱଟ ସୋଲାର ଏନର୍ଜି ଉତ୍ପାଦନ ଲକ୍ଷ୍ୟ ନେଇ କାମ ଆରମ୍ଭ ହୋଇଛି । ଉତ୍କର୍ଷ ଓଡ଼ିଶା ପୂର୍ବରୁ ଏହି କନକ୍ଲେଭ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି କନକ୍ଲେଭ ବୟାନ କରୁଛି ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ସୋଲାର ଏବଂ ରିନ୍ବେବୁଲ ଏନର୍ଜି କ୍ଷେତ୍ରରେ ଓଡ଼ିଶାରେ ଅଧିକ ନିବେଶ ଆସୁଛି । ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ଏମଓୟୁ ହେବ । ସୋଲାର ଏନର୍ଜି, ୱିଣ୍ଡ ଏନର୍ଜି ଦ୍ବାରା ଲୋକ ଲାଭବାନ ହୋଇପାରିବେ ଏବଂ ନିଯୁକ୍ତି ସୃଷ୍ଟି ହୋଇପାରିବ, ସେ ଦିଗରେ ସରକାର ଚିନ୍ତା କରୁଛନ୍ତି । ବିଜୁଳି ଦର ବୃଦ୍ଧି ନେଇ ଆଲୋଚନା ହୋଇନାହିଁ ।"
ଏହା ବି ପଢନ୍ତୁ...ବିଜେଡିର ସ୍ପଷ୍ଟୋକ୍ତି; 'ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କମ ଦରରେ ମିଳୁଛି ବିଜୁଳି' - BJD Press Meet
ଏହା ବି ପଢନ୍ତୁ...ବିଦ୍ୟୁତ ଖର୍ଚ୍ଚ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ପରିକ୍ରମା ମାର୍ଗରେ ବ୍ୟବହାର ହେବ ସୌର ଶକ୍ତି
ରାଜ୍ୟ ସରକାରଙ୍କୁ ଆପର ଟାର୍ଗେଟ୍:
ବିଦ୍ୟୁତ ଦରବୃଦ୍ଧି ନେଇ ଆମ ଆଦମୀ ପାର୍ଟି ପ୍ରେସମିଟ୍ କରି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛି । ଦଳର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ବିଜେପିର ବିଜୁଳି ଉପଭୋକ୍ତାଙ୍କୁ ଧୋକା । ୩୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ବଦଳରେ ବିଜୁଳି ଦର ବୃଦ୍ଧି ପାଇଁ ଯୋଜନା କୁଆଡେ ଗଲା । ଭାଜପା ସରକାରର ଛାମୁଆ ନେତାମାନେ ନିର୍ବାଚନ ପୂର୍ବରୁ ଖୋଲମଞ୍ଚରେ ୩୦୦ ୟୁନିଟ୍ ବିଦ୍ୟୁତ୍ ବିନା ଶୁଳ୍କରେ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ସରକାରକୁ ଆସିବାର ପ୍ରାୟ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ କଥା ରଖିଲେ ନାହିଁ ।’
ସେ ଆହୁରି କହିଛନ୍ତି, ‘ଆଦମୀ ପାର୍ଟି ନେତୃତ୍ଵାଧୀନ ଦିଲ୍ଲୀ ସରକାର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ନ ଥାଇ ମଧ୍ୟ ଓଡ଼ିଶା ଭଳି ବିଦ୍ୟୁତ୍ ବଳକା ରାଜ୍ୟଠୁ ବିଦ୍ୟୁତ୍ କ୍ରୟ କରି ଦୀର୍ଘ ୧୦ ବର୍ଷ ଧରି ଉପଭୋକ୍ତାଙ୍କୁ ବିନା ଦେୟରେ ୨୦୦ ୟୁନିଟ୍ ବିଜୁଳି ଓ ଅଧା ଦେୟରେ ୨୦୦ ରୁ ୪୦୦ ୟୁନିଟ୍ ବିଜୁଳିର ସେବା ଯୋଗାଇ ଆସୁଛି । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗକୁ ଗ୍ରୀଡକୋ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବା ପାଇଁ ଦାଖଲ କରିଥିବା ଆବେଦନ ଓଡ଼ିଶାବାସୀଙ୍କୁ ଆଶଙ୍କା ଭିତରକୁ ଠେଲିଦେଇଛି । ପ୍ରତିଶ୍ରୁତି ମୁତାବକ ୩୦୦ ୟୁନିଟ୍ ବିଜୁଳି ବିନା ଦେୟରେ ଯୋଗାଇ ଦେବାର ବନ୍ଦୋବସ୍ତ କରିବାକୁ ଦାବି ଜଣାଉଛୁ । ସରକାର ଯଦି ନ ମାନିଲେ ତେବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରାଯିବ ।"
ଇଟିଭି ଭାରତ, ଭୁବନେଶ୍ବର