କଟକ: ଆଜି ଓଡିଶା ଆସିବେ ନବ଼ନିଯୁକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର । ସୋମବାର ନେବେ ଶପଥ ଗ୍ରହଣ । ଏନେଇ ଭୁବନେଶ୍ବରରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ରାଜଭବନ ଅଭିଷେକ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସକାଳ ୯ ଟା ୩୦ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ। ମହାମହିମ ରାଜ୍ୟପାଳ ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାଇବେ। ପୂର୍ବରୁ ହାଇକୋର୍ଟର ପୁରୁଣା ବିଲ୍ଡିଂ ପୂର୍ବ ପାଖ ପଡିଆରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହି ବିଜ୍ଞପ୍ତି ରେ ପରିବର୍ତ୍ତନ କରାଯାଇଛି।
ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଥିଲେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।
ବିଚାରପତି ଏସ ମୁରଲୀଧର 2006 ମସିହାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା ।
ଭୋପାଳ ଗ୍ୟାସ ଲିକ ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ମାମଲା ଲଢି ଚର୍ଚ୍ଚାକୁ ଆସିଥିଲେ ମୁରଲୀଧର । 2006ରେ ଦିଲ୍ଲୀ ହାଇକୋର୍ଟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ