କଟକ: ରାଉରକେଲା ମ୍ୟୁନିସପାଲଟି ନିର୍ବାଚନ ମାମଲାରେ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ । ରାଉରକେଲାରେ ନିର୍ବାଚନ କାହିଁକି ନହେବ ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କୈଫତ ତଲବ କରିଥିଲେ ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ମଧ୍ୟ ଏ ସମ୍ପର୍କରେ ତଥ୍ୟ ରଖିବାକୁ ନୋଟିସ ଜାରି କରିଥିଲେ । ତେବେ ତଥ୍ୟ ରଖିବାକୁ ଆଜି(ମଙ୍ଗଳବାର) ସମୟ ନେଇଛନ୍ତି ରାଜ୍ୟ ସରକାର ଓ ନିର୍ବାଚନ କମିଶନ।
୨୦୧୩ ପରଠୁ ରାଉରକେଲାରେ ପୌର ନିର୍ବାଚନ ହୋଇନାହିଁ । ଶେଷ ଥର ପାଇଁ ୨୦୦୮ ମସିହାରେ ନିର୍ବାଚନ ହୋଇଥିବାବେଳେ ଏହି ଟର୍ମ୍ ୨୦୧୩ରେ ଶେଷ ହୋଇଥିଲା । ୨୦୧୪ ମସିହାରେ ରାଜ୍ୟ ସରକାର ରାଉରକେଲା ମ୍ୟୁନିସପାଲଟିକୁ ରାଉରକେଲା ମହାନଗର ନିଗମରେ ପରିଣତ କରିଥିଲେ । ମହାନଗର ନିଗମ ପାଇଁ ୩ ଲକ୍ଷ ଜନସଂଖ୍ୟା ଆବଶ୍ୟକତା ଦରକାର ପଡିଥିଲା। ତେଣୁ ମ୍ୟୁନିସପାଲଟିର ୩୩ଟି ୱାର୍ଡ ସହ ଆଖପାଖ ପଞ୍ଚାୟତକୁ ମିଶ୍ରଣ କରାଯାଇ ଥିଲା ।
ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ୨୦୧୫ ମସିହାରେ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଏହାକୁ ଗ୍ରହଣ କରି ରହିତାଦେଶ ଜାରି କରିଥିଲେ । ଫଳରେ ସେବେଠାରୁ ଆଉ ରାଉରକେଲାରେ ଅର୍ବାନ ନିର୍ବାଚନ ହୋଇନାହିଁ । ରାଉରକେଲାରେ ନିର୍ବାଚନ କରାଇବା ପାଇଁ ପିଟିସନ ଦାୟର କରିଛନ୍ତି ପୂର୍ବତନ ନଗରପାଳ ନିହାର ରାୟ ।
ଦୀର୍ଘଦିନ ଧରି ନିର୍ବାଚନ ନହେବା ଭାରତୀୟ ସମ୍ବିଧାନର ଧାରା ୨୪୩(ୟୁ) ବିରୋଧାଚରଣ କରୁଛି । ତେଣୁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ନିର୍ବାଚନ କରାଇବାର ପଦକ୍ଷେପ ନେବାକୁ ସେ ଆବେଦନରେ ଦର୍ଶାଇଛନ୍ତି । ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ