କଟକ: କଟକ ଛାତିରେ ମଧ୍ୟ ଯୁଗୀୟ ନିର୍ଯାତନାର ନମୁନା । ଉଧାର ଟଙ୍କା ଫେରାଉ ନଥିବାରୁ ଯୁବକଙ୍କୁ ତାଲିବାନୀ ନିର୍ଯାତନା । ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି 6 କିଲୋମିଟର ଦୌଡ଼ାଇଲେ 5 ଜଣ ଯୁବକ । ଏଭଳି ବର୍ବରତା ଦେଖିବାକୁ ମିଳିଛି କଟକ ସହରରେ । ଯାହାକୁ ନେଇ ରାଜ୍ୟରେ ଆଲୋଡନ ଦେଖିବାକୁ ମିଳିଛି । କଟକ ସହର ଛାତିରେ ଏଭଳି ଘଟଣାକୁ ସାଧାରଣରେ ନାପସନ୍ଦ କରିଛନ୍ତି ଲୋକେ । ସେପଟେ ଘଟଣାକୁ ନେଇ ଏତଲା ରୁଜୁ ହୋଇନଥିବା ବେଳେ କମିଶନରେଟ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି ।
ଘଟଣା ଅନୁଯାୟୀ, ଗତକାଲି (ରବିବାର) ସନ୍ଧ୍ୟା ସମୟର ଜନଗହଳି ପୂର୍ଣ୍ଣ ରାସ୍ତାରେ 5 ଜଣ ଯୁବକ ସ୍କୁଟିରେ ଯାଉଥିଲେ । ଗାଡ଼ିରେ ରଶି ସାହାଯ୍ୟରେ ଜଣେ ଯୁବକଙ୍କ ହାତ ବନ୍ଧା ଯାଇଥିଲା । ଗାଡ଼ି ପଛେ ପଛେ ଯୁବକ ମଧ୍ୟ ଦୌଡୁଥିଲେ । ତେବେ ଶହେକି ଦୁଇଶହ ମିଟର ନୁହେଁ, 6 କିଲୋମିଟରେ ଏଭଳି ଘୋଷାଡ଼ି ଆଣିଥିଲେ । ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଯୁବକଙ୍କୁ ଗାଡ଼ିରେ ଟାଣିଟାଣି ଆଣିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: କଟକରୁ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଗିରଫ, ବିହାରରୁ ବନ୍ଧୁକ ଓ ଗୁଳି ଆଣି କଟକରେ ବିକ୍ରି କରୁଥିଲେ
ରାସ୍ତା ଉପରେ ଅନେକ ଲୋକ ଯାଉଥିଲେ ମଧ୍ୟ କେହି ରୋକି ନଥିଲେ । ତେବେ ଏହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ମାମଲାକୁ ଗୁରୁତର ସହ ନେଇ ନିଜ ଆଡୁ ପଦକ୍ଷେପ ନେଲା କମିଶନରେଟ ପୋଲିସ । ଭାଇରାଲ ଭିଡ଼ିଓକୁ ଆଧାର କରି ଦୁଇ ଜଣ ଯୁବକଙ୍କୁ ଚିହ୍ନଟ କରି ଲାଲବାଗ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି ।
ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି," ରବିବାର ଯେଉଁ ଘଟଣା ଘଟିଥିଲା ସେହି ଖବର ଆମ ପାଖକୁ ପହଞ୍ଚିବା ପରେ ଆମେ ତନାଘନା କରିଥିଲୁ । ସେମାନଙ୍କ ମଧ୍ୟରେ କିଛି ପଇସା ନେଣଦେଣ ହୋଇଥିଲା । ଏହି ଯୁହକ ଜଣକ କିଛି ପଇସା ଉଦ୍ଧାର ଆଣିଥିଲେ । କିନ୍ତୁ ଫେରାଉ ନଥିଲେ । ରବିବାର କିଛି ଯୁବକ ଆସି ଜୋରଜବରଦସ୍ତି କରିଥିଲେ ପଇସା ଦେବା ପାଇଁ । କିନ୍ତୁ ପଇସା ଦେବା ପାଇଁ ସକ୍ଷମ ନୁହେଁ ବୋଲି ଯୁବକ ଜଣକ କହିଥିଲା । ଏହି କାରଣରୁ ଯୁବକଙ୍କୁ ବାନ୍ଧି କଛି ଦୂର ଦୌଡେଇଥିଲେ । ଏହାପରେ ଆମେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ । ଘଟଣାରେ ସଂଶ୍ଲିଷ୍ଟ ଥିବା ଦୁଇ ଯୁବକଙ୍କୁ ମଧ୍ୟ ଆମେ ଅଟକ ରଖିଛୁ । ଆହୁରି ମଧ୍ୟ ତଦନ୍ତ ଜାରି ରହିଛି । ଆମେ ସିସିଟିଭି ଫୁଟେଜର ମଧ୍ୟ ଯଞ୍ଚ କରୁଛୁ । ଯଦି ସେମାନେ କେଉଁ ଟ୍ରାଫିକ ପୋଷ୍ଟ ଅତିକ୍ରମ କରିଥିବେ ଆଉ ଟ୍ରାଫିକ ପୋଲିସ କିଛି କହିନଥିବେ ତେବେ ଟ୍ରାଫିକ ପୋଲିସ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ଇଟିଭି ଭାରତ, କଟକ