କଟକ: ମାହାଙ୍ଗା ଡବଲ ମର୍ଡର ( Mahanga double murder case ) ଘଟଣାରେ ଆଉ ଏକ ମାସ ମହଲତ ମାଗିଛନ୍ତି ମାହାଙ୍ଗା ଥାନା ପୋଲିସ। କୋର୍ଟରେ ପୂର୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ସମୟ ନେଇଛି ପୋଲିସ। ତେବେ ଆଜି ଏହି ପ୍ରସଙ୍ଗରେ କୋର୍ଟରେ ଶୁଣାଣି ହୋଇପାରି ନାହିଁ।
ସୂଚନାଯୋଗ୍ୟ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ବାଳ ଓରଫ ବାପି ବିଶ୍ବାଳଙ୍କ ମୋବାଇଲ କଲ ଡିଟେଲ ସଂଗ୍ରହ କରି ଏନେଇ କୋର୍ଟଙ୍କ ଅବଗତ କରାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି କୋର୍ଟ । ଏହି ହତ୍ୟାକାଣ୍ଡରେ ମୃତ୍ୟୁ ବରଣ କରିଥିବା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ପ୍ରୋଟେଷ୍ଟ ପିଟିସିନର ଶୁଣାଣି ଅବସରରେ ଏହି ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ତେବେ ଏହି ପ୍ରୋଟେଷ୍ଟ ପିଟିସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଜବାଵକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ । ପୂର୍ବରୁ ଏହି ତିନି ଜଣଙ୍କ କଲ ଡିଟେଲସକୁ ତଦନ୍ତ ପରିସର ଭୁକ୍ତ କରିବାକୁ ରମାକାନ୍ତ ବରାଳ ପ୍ରୋଟେଷ୍ଟ ପିଟିସନ ଜରିଆରେ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏହି ମାମଲାର ଶୁଣାଣି ଗତ ଡିସେମ୍ବର ଠାରୁ କୁଳମଣି ବରାଳଙ୍କ ହତ୍ୟା ତଥା ଫେବୃୟାରୀ ମାସ ପର୍ଯ୍ୟନ୍ତ ଏହି ତିନି ଜଣଙ୍କ ସିଡିଆରକୁ ୨ ମାସ ଭିତରେ କୋର୍ଟରେ ଦାଖଲ କରିବା ପାଇଁ ମାହାଙ୍ଗା ଥାନା ଅଧିକାରୀଙ୍କୁ ଗତ ଅଗଷ୍ଟ 25 ତାରିଖ ଦିନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୋଲିସ ସେହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିନଥିବାରୁ ବିରକ୍ତି ପ୍ରକାଶ କରିଥିଲେ ଜେଏମଏଫସିଙ୍କ କୋର୍ଟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ