କଟକ: ଦୀପାବଳୀରେ ଫୁଟିବନି ଚାଇନା ବାଣ । ଚାଇନା ବାଣ ନ ଫୁଟାଇବା ନେଇ ନିର୍ଦ୍ଦେଶ ଜାରି କଲା କମିଶନରେଟ ପୋଲିସ । ଏହାସହ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା 8ଟାରୁ 10ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଦୀପାବଳୀ ପୂର୍ବରୁ ଆତସବାଜୀ ବ୍ୟବହାର ସଙ୍କ୍ରାନ୍ତରେ ପରାମର୍ଶ ଜାରି କରି କହିଛି ପୋଲିସ ।
କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ଆତସବାଜୀ କିଣନ୍ତୁ । ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବା ପାଇଁ ନ ଦେଇ ନିଜ ତତ୍ତ୍ବାବଧାନରେ ଫୁଟାନ୍ତୁ । 125 ଡେସିବଲରୁ ଅଧିକ ଶଦ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ । ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ । ସାମୂହିକ ବାଣ ଫୁଟାଉଥିଲେ ଜନବସତି ଠାରୁ ଦୂରତାରେ ଖୋଲା ପଡିଆରେ କରନ୍ତୁ । ବାଣ ଫୁଟାଇବା ପରେ ଅବଶେଷ ଗୁଡିକ ପାଣିରେ ବୁଡାଇ ଦିଅନ୍ତୁ ବୋଲି ମଧ୍ୟ ପୋଲିସ କହିଛି ।
ସେହିପରି ବାଣକୁ ହାତରେ ଧରି ଫୁଟାନ୍ତୁ ନାହିଁ । ପ୍ରଥମେ ଅଗ୍ନି ସଂଯୋଗ କରି ନିରାପଦ ଦୂରତାରେ ରହନ୍ତୁ । ନିଷେଧ ସ୍ଥାନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଯଥା କର୍ତ୍ତୃପକ୍ଷଙ୍କ ଦ୍ବାରା ଘୋଷିତ ନିରବ ଅଞ୍ଚଳ ସ୍ଥାନ ଗୁଡିକରେ ବାଣ ଫୁଟାନ୍ତୁ ନାହିଁ । ନିରୀହ ପଶୁଙ୍କ ଉପରେ ଆତସବାଜୀ ପ୍ରୟୋଗ କରନ୍ତୁ ନାହିଁ । ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ୍(100) କିମ୍ବା ଦମକଳ କେନ୍ଦ୍ର(101)କୁ ସହାୟତା ପାଇଁ ଫୋନ କରନ୍ତୁ ବୋଲି ପୋଲିସ ଜାରି କରିଥିବା ପରାମର୍ଶ ପତ୍ରରେ ଉଲ୍ଲେଖ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ