କଟକ: ଓଡିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବଲ ଟେଷ୍ଟ(OSSTET) ପରୀକ୍ଷାରେ ତ୍ରୁଟି ଦର୍ଶାଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ । ୨୦୨୨ ମସିହାରେ ଏହି OSSTET (Odisha Secondary School Teachers Eligibility Test)ର ପରୀକ୍ଷାରେ ବୋର୍ଡ ପକ୍ଷରୁ ଦିଆଯାଇଥିବା ମାର୍କରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ପ୍ରାୟ 500ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହିଭଳି ତ୍ରୁଟିର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
ଚଳିତବର୍ଷ ଫେବ୍ରୁଆରୀ ମାସରେ ଏହି ପରୀକ୍ଷା ହୋଇଥିଲା ବେଳେ ମାର୍ଚ୍ଚ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ପରୀକ୍ଷା ଫଳ ପ୍ରଶ୍ନପତ୍ରରେ ତ୍ରୁଟି ଦର୍ଶାଇ ପୂର୍ବରୁ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ମଧ୍ୟ ବୋର୍ଡ ପକ୍ଷରୁ କୌଣସି ସମାଧାନ କରାଯାଇ ନଥିଲା । ତେବେ ଏନେଇ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ବୋର୍ଡ ସଭାପତିଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏହି ଦିଗରେ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନହେବାରୁ ଆଜି ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ନିଜର ଅଧିକାର ଜାହିର କରିଛନ୍ତି ଛାତ୍ରଛାତ୍ରୀ । ଯଦି ଏହି ତ୍ରୁଟିର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ