କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ମାମଲାରେ ହାଇକୋର୍ଟ ଶୁଣାଣି କରି ଆସନ୍ତାକାଲି ହେବାକୁ ଥିବା ପୁରସ୍କାର ବିତରଣ ସ୍ଥଗିତ (Odisha state film award put on hold) ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୁରସ୍କାର ପାଇଁ ସିନେମା ଚୟନର ପୁନଃ ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ପୁନଃ ବିଚାର ପରେ ଜୁରୀଙ୍କ ନିଷ୍ପତ୍ତି ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇ ବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜାନୁଆରୀ ୭ ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମାମଲାର ଶୁଣାଣି ସରିବା ପରେ ପୁରସ୍କାର ବିତରଣ କରାଯାଇ ପାରିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।
ହାଇକୋର୍ଟରେ ଛବିରାଣି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ତରଫରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଛି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଖଣ୍ଡପୀଠରେ ଏହି ମାମଲାର ଆଜି ଶୁଣାଣି କରାଯାଇଛି। ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚ୍ଚିତ ଘଟଣା ଉପରେ ନିର୍ମିତ ହୋଇଥିବା ଓଡିଆ ଫିଲ୍ମ ଛବିରାଣୀକୁ ୨୭ ଟି ସମ୍ମାନରୁ ଗୋଟିଏରେ ବଛା ଯାଇନାହିଁ । ତୁରନ୍ତ ବିଚାରକ ମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ଆବେଦନରେ ଦର୍ଶାଯାଇଥିଲେ ଆବେଦନକାରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯/୨୦ର ଓଡ଼ିଆ ସିନେମା ପାଇଁ ପୁରସ୍କାର ସମ୍ମାନ ଘୋଷିତ ହୋଇଛି ଏବଂ ବିଭିନ୍ନ ପୁରସ୍କାର ନିମନ୍ତେ ମନୋନୀତ ନାମ ଘୋଷଣା କରାଯାଇଥିଲା। ଏହି ଚୟନ କେତେଦୂର ନିରପେକ୍ଷ ବା ଯୁକ୍ତିସଙ୍ଗତ, ସେ ନେଇ ଏହି ମାମଲାରେ ପ୍ରଶ୍ନ ଉଠିଥିଲା ।
ଏଥିରେ ଅନ୍ୟ ରାଜ୍ୟର ସିନେମାକୁ ନକଲ କରି ତିଆରି ହୋଇଥିବା ଓଡ଼ିଆ ସିନେମାକୁ ସ୍ଥାନ ଦିଆଯାଇଛି ଅଥଚ ଓଡ଼ିଆ ଘରର ବା ଓଡ଼ିଶାର ମୌଳିକ କଥାବସ୍ତୁର ଆଧାରରେ ତିଆରି ଓଡ଼ିଆ ସିନେମାକୁ ଅଣଦେଖା କରାଯାଇଛି ବୋଲି ଦର୍ଶାଯାଇଛି। ଓଡ଼ିଆ ସିନେମା ଏବେ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛି । 'ପଡ଼ୋଶୀ ରାଜ୍ୟର ସିନେମାକୁ ନକଲ କରି ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପରମ୍ପରାକୁ ଦର୍ଶକ ଗ୍ରହଣ କରୁନାହାନ୍ତି କି ପ୍ରେକ୍ଷାଳୟକୁ ଆସି ଓଡ଼ିଆ ସିନେମା ଦେଖୁନାହାନ୍ତି। ଏହି ଦୁର୍ଦ୍ଦଶାରୁ ଓଡ଼ିଆ ସିନେମାକୁ ବଞ୍ଚାଇବା ପାଇଁ କିଛି ପ୍ରଯୋଜକ ଓ ନିର୍ଦେଶକ ଅବଶ୍ୟ ଅଣ୍ଟା ଭିଡ଼ିଛନ୍ତି ଏବଂ ଖାଣ୍ଟି ଓଡ଼ିଆ ଘରର କଥାକୁ ନେଇ ସିନେମା ତିଆରି କରୁଛନ୍ତି ଯାହା ସାହସିକ, ସ୍ବାଗତଯୋଗ୍ୟ ଓ ସମୟୋଚିତ ପଦକ୍ଷେପ। କିନ୍ତୁ ସେମାନଙ୍କୁ ହତୋତ୍ସାହ ହେବାକୁ ପଡିଛି।
ଦୃଷ୍ଟାନ୍ତମୂଳକ ଭାବେ ୨୦୧୯ ସେପ୍ଟେମ୍ବରରେ ରିଲିଜ ହୋଇଥିବା 'ଛବିରାଣୀ' ସିନେମାକୁ ନିଆଯାଇ ପାରେ, ଯାହା ଏ ରାଜ୍ୟର ପ୍ରଥମ କମର୍ସିଆଲ ବାୟୋପିକ ଓଡିଆ ସିନେମା। ୧୯୮୦ ମସିହାରେ ଏ ରାଜ୍ୟରେ ଘଟିଥିବା ଏକ ମାର୍ମିକ ଘଟଣା ଉପରେ ଏହା ଆଧାରିତ। ଏହି ସିନେମାକୁ କିନ୍ତୁ ଚୟନ କମିଟି ଦୃଷ୍ଟି ଦେଇ ନାହାନ୍ତି। ଏହି ପରମ୍ପରା ବଜାୟ ରହିଲେ ଆଉ କେହି ପ୍ରଯୋଜକ ଓ ନିର୍ଦେଶକ ଓଡ଼ିଶାର ମାଟି ଓ ସଂସ୍କୃତିର ମୌଳିକତା ରକ୍ଷା ପୂର୍ବକ ଓଡ଼ିଆ ସିନେମାଟିଏ ପ୍ରସ୍ତୁତ କରିବା ଦିଗରେ ଆଗ୍ରହ ରଖିବେ ନାହିଁ। ଏହି ଚୟନ ଓଡ଼ିଆ ସିନେମାର ଭବିଷ୍ୟତ ପାଇଁ ଏକ ଅନ୍ଧାର ଦିଗକୁ ଆଙ୍ଗୁଳି ନିର୍ଦେଶ କରୁଥିବା ଆବେଦନରେ ଦର୍ଶାଯାଇଛି।
ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ କରାଯାଇଛି ବୋଲି ପ୍ରଶ୍ନ ଉଠିଥିବା ବେଳେ ଜୁରୀ ମାନେ ମନ ଇଚ୍ଛା ନିଷ୍ପତ୍ତି ନେଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଓଡ଼ିଆ ସିନେମା ପୁରସ୍କାର ନିଷ୍ପତ୍ତିର ପୁନଃ ର୍ବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଜୁରୀ କମିଟି ଏବେ କିଭଳି ଏହାର ପୁନଃ ବିଚାର କରିବ ଓ ଆସନ୍ତା ଜାନୁଆରୀ ୭ ତାରିଖରେ ହାଇକୋର୍ଟ କି ନିର୍ଦ୍ଦେଶନାମା ଦେବେ ତାକୁ ସିନେପ୍ରେମୀ ଅପେକ୍ଷା କରି ରହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ