ଭୁବନେଶ୍ବର: ବ୍ୟାଙ୍କ କର୍ମଚାରୀ ଭାବେ ପରିଚୟ ଦେଇ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ସେଥିରୁ ଟଙ୍କା ଠକେଇ ପରି ବିଭିନ୍ନ ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକଙ୍କୁ ସତର୍କ କରିଛି ଓଡିଶା ପୋଲିସ ।
ଓଡିଶା ପୋଲିସ ତାର ଟ୍ବିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେବା ସହ ଏଥିରୁ ଦୁରେଇ ରହିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ନିବେଦନ କରିଛି । ଏସମ୍ପର୍କରେ ସାଇବର ଠକ ମାନେ ଆପଣାଉଥିବା କୌଶଳ ଗୁଡିକ ମଧ୍ୟ ପୋଲିସ ସେୟାର କରି କିପରି ଏହାକୁ ପ୍ରତିହତ କରିହେବ ତାହା ବାବଦରେ ମଧ୍ୟ ପରାମର୍ଶ ଦେଇଛି ।
ଗ୍ରାହକଙ୍କ କେଓ୍ବାଇସି ଅପଡେଟ୍ କରିବାକୁ କୌଣସି ଅଜ୍ଞାତ ନମ୍ବରକୁ ଫୋନ୍ ନକରିବା ପାଇଁ ନିବେଦନ କରିଛି ଓଡିଶା ପୋଲିସ । କାରଣ ସେବା ପ୍ରଦାନକାରୀ ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ସଂସ୍ଥା ଏପରି କୌଣସି ଫୋନ ନମ୍ବର ପ୍ରଦାନ କରନ୍ତି ନାହିଁ ବୋଲି କହିଛି । ତେଣୁ କଷ୍ଟମର ସମ୍ପର୍କିତ ତଥ୍ୟ(KYC )ଅପଡେଟ୍ ସଂକ୍ରାନ୍ତୀୟ ଆସୁଥିବା ସମସ୍ତ ନକଲି କଲ ଓ ଏସଏମଏସକୁ ଅଣଦେଖା କରିବା ସହ ବ୍ୟାଙ୍କ ସଂକ୍ରାନ୍ତିୟ କୌଣସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାରୁ ଦୂରେଇ ରହିବାକୁ ନିବେଦନ କରିଛି ପୋଲିସ ।
କଟକରୁ ନାରାୟଣ ସାହୁ , ଇଟିଭି ଭାରତ