କଟକ: ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟ ବା ରେରା (Odisha Real Estate Regulatory Authority)କୁ ହାଇକୋର୍ଟରୁ ଝଟକା । ରେରାର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । "ଆସୋସିଏସନ ଅଫ ଆଲଟିଜ୍" ପଞ୍ଜିକରଣ ଉପରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ରହିତାଦେଶ ହଟାଇବା ଆବେଦନକୁ ପ୍ରତ୍ୟାହାର କଲା ରେରା ।
ସେପଟେ ମାମଲାର ଅନ୍ତ ଯାଏଁ ରହିତାଦେଶ ଜାରିକଲେ ହାଇକୋର୍ଟ । ସୋସାଇଟି ରେଜିଷ୍ଟ୍ରସନ ଆକ୍ଟରେ "ଆସୋସିଏସନ ଅଫ ଆଲଟିଜ୍" ପଞ୍ଜିକରଣ ଉପରେ ଗତ ଶୁଣାଣିରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ରେରା ଆଇନ ଆଧାରରେ ନୂଆ ଆଇନ ଆଣିବାକୁ କୋର୍ଟ ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ନୂଆ ଆଇନ ନଆସିବା ପର୍ଯ୍ୟନ୍ତ ଫ୍ଲାଟ ପଞ୍ଜିକରଣ ଉପରେ ଗତ ମେ 12 ତାରିଖରେ କୋର୍ଟ ଅଙ୍କୁଶ ଜାରି କରିଥିଲେ । ଫଳରେ ସେବେଠାରୁ ରାଜ୍ୟ ବ୍ୟାପି ଫ୍ଲାଟ ରେଜିଷ୍ଟ୍ରସନ ବନ୍ଦ ରହିଛି । ନୂଆ ଆଇନ ଆଣିବା ପାଇଁ ସରକାର ବାରମ୍ବାର କୋର୍ଟରେ ସମୟ ଗଡ଼ାଇ ଚାଲିଛନ୍ତି ।
ସେହିଭଲି ସୋସାଇଟି ରେଜିଷ୍ଟ୍ରସନ ଆକ୍ଟ ବଳରେ "ଆପାର୍ଟମେଣ୍ଟ ଆଲଟିଜ ଆସୋସିଏସନ" ପଞ୍ଜିକରଣ କରିବାକୁ ଗତ 28 ତାରିଖରେ ରେରା ବିଜ୍ଞପ୍ତି ଜାରିକରିଥିଲା । ଏହା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ସେହି ରହିତାଦେଶ ହଟାଇବା ପାଇଁ ରେରା କରିଥିବା ଆବେଦନକୁ ଆଜି ପ୍ରତ୍ୟାହାର କରିଛି । ତେବେ ଆସନ୍ତା ଶୁଣାଣି ସୁଦ୍ଧା ରେରା ନୂଆ ଆଇନ ଆଣିବାକୁ ଚେଷ୍ଟା କରିବେ ବୋଲି ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ନଭେମ୍ବର ୨୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ ।
ଇଟିଭି ଭାରତ, କଟକ