କଟକ: ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ସମାଜିକ ଗଣମାଧ୍ୟମରେ ପ୍ରଚାର କରିବା ଓ ଜନସାଧାରଣଙ୍କୁ ଉସକାଇବା ଭଳି ଅଭିଯୋଗରେ ମୁକେଶ ଜୈନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । 2020ରେ ରଥଯାତ୍ରା ସମ୍ପର୍କରେ ଜଷ୍ଟିସ ଏସ ଏ ବୋବଡେଙ୍କ ଏକ ନିର୍ଦ୍ଦେଶକୁ ନେଇ ଜୈନ ଆପତ୍ତିଜନକ ମନ୍ତବ୍ୟ ପ୍ରଚାର କରି ଜନସାଧାରଣଙ୍କୁ ଉସୁକାଇବା ଅଭିଯୋଗ ହୋଇଥିଲା।
ମାମଲାର ବିଚାର କରି ଓଡିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅଭିଯୁକ୍ତ ମୁକେଶ ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସମସ୍ତ ପ୍ରକାର ସାହାଯ୍ୟ କରିବେ ଅଭିଯୁକ୍ତ । ଭବିଷ୍ୟତରେ ଏଭଳି ଅପରାଧର ପୁନରାବୃତ୍ତି କରିବେ ନାହିଁ। ଜାମିନ ପାଉଛନ୍ତି ବୋଲି ତାହାର ଅପବ୍ୟବହାର କରିବେ ନାହିଁ। ଶୁଣାଣି ଶେଷ ପର୍ଯ୍ୟନ୍ତ ବିଚାରଧୀନ କୋର୍ଟଙ୍କ ସମସ୍ତ ତାରିଖରେ ଉପସ୍ଥିତ ରହିବେ ବୋଲି ସର୍ତ୍ତ ରଖିଛନ୍ତି ଓଡିଶା ହାଇକୋର୍ଟ। କୌଣସି ସର୍ତ୍ତର ଖିଲାପ କଲେ ଜାମିନ ପ୍ରତ୍ୟାହାର ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।
ରଥଯାତ୍ରା ପାଳନ ଅନୁମତି ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ସହ ହ୍ବାଟ୍ସଆପରେ ଜନସାଧାରଣଙ୍କୁ ଉସକାଇଥିଲେ ମୁକେଶ ।
ଗତ ବର୍ଷ ଜୁନ 18ରେ ପୂର୍ବତନ CJI ବୋବଡେଙ୍କ ନେତୃତ୍ବାଧିନ ସୁପ୍ରିମକୋର୍ଟ ବେଞ୍ଚ ଦେଶର ସ୍ଥିତିକୁ ଦେଖି ଏକ ମହାମାରୀ କାରଣରୁ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ପରେ କୋର୍ଟ ଏହାର ରାୟ ସଂଶୋଧନ କରି କେବଳ ପୁରୀରେ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ