କଟକ: ହାଇକୋର୍ଟରେ ନଦୀ ଜଳ ପ୍ରଦୂଷଣ ମାମଲା । ବିଭିନ୍ନ ସହରର ବର୍ଜ୍ୟ ଜଳ ନଦୀମାନଙ୍କୁ ଛଡ଼ାଯାଉଛି । ଫଳରେ ନଦୀ ଜଳ ପ୍ରଦୂଷଣ ସୀମା ଟପିଛି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଶୁକ୍ରବାର କୋର୍ଟରେ ଏହି ମାମଲା ଶୁଣାଣି ହୋଇଥିବା ବେଳେ ଭୁବନେଶ୍ବର ଓ କଟକ ମହାନଗର ନିଗମ କମିଶନର ହାଜର ହୋଇଥିଲେ । ସମ୍ବଲପୁର ଓ ରାଉରକେଲା ମ୍ୟୁନିସପାଲିଟ ନିର୍ବାହୀ ଅଧିକାରୀ ମଧ୍ୟ ହାଜର ହୋଇଥିଲେ । ମାମଲାର ଶୁଣାଣି କରି ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବର୍ଜ୍ୟ ଜଳ ବିଶୁଦ୍ଧ କରି ନଦୀକୁ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୁନ ସୁଦ୍ଧା ସବୁ ସହରରେ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ କାର୍ଯ୍ୟକାରୀ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ୱାଟକୋ ଏବଂ ସ୍ବରେଜ ବୋର୍ଡକୁ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ କ୍ଷୀରୋଦ ରାଉତଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି ହାଇକୋର୍ଟ । ଜୁନ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେହିପରି ପରବର୍ତ୍ତୀ ଶୁଣାଣି ସମୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ