କଟକ: ବଦଳିବ କି ଓଡିଶା କ୍ରିକେଟର ଭାଗ୍ୟ । ଓଡିଆ କ୍ରିକେଟର୍ଙ୍କୁ ମିଳିବ କି ଉନ୍ନତମାନର କ୍ରିକେଟ ଶିକ୍ଷା । ପୁଣି ଥରେ ଅନ୍ତର୍ଜାତୀୟ ସ୍ଥରର ଜଲୱା ଦେଖାଇବେ କି ଓଡିଆ କ୍ରିକେଟର୍ । ଏମିତି କିଛି ଆଶା-ଆଶଙ୍କା ଏବେ ଓଡିଶାର ଘରୋଇ କ୍ରିକେଟରଙ୍କ ମନରେ ଉଙ୍କି ମାରୁଛି । କାରଣ କୋରୋନା ମହାମାରୀ ମଧ୍ୟରେ ଏକ ଅନ୍ତର୍ଜାତୀୟ ସ୍ତରୀୟ କ୍ରିକେଟ ଏକଡେମୀ ପ୍ରସ୍ତୁତି ନେଇ ଯୋଜନା ବାନ୍ଧିଛି ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ ।
ଯାହାକି 20 ରୁ 40 ଏକର ଜମିରେ ନିର୍ମାଣ ହେବାର ଯୋଜନା ରହିଛି । ଏନେଇ ଟ୍ବିନ ସିଟିରେ 4 ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ଏକାଡେମୀ ପାଇଁ ମୋଟ 50 କୋଟି ବ୍ୟୟ ଅଟକଳ ଧାର୍ଯ୍ୟ କରିଛି ଓସିଏ । ତେବେ ଖୁବଶୀଘ୍ର ଓସିଏର ଆଉ ଏକ ଆପେକ କାଉନସିଲ ବୈଠକ ବସିବାକୁ ଯାଉଛି । ଯେଉଁଠି ନୂଆ ଏକାଡେମୀ ପାଇଁ ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ । ଆଉ ଏହାକୁ ଯଥା ସମ୍ଭବ ବାସ୍ତବ ରୂପ ଦେବା ପାଇଁ ଫୁଲ ଦମରେ ଲାଗି ପଡିଛନ୍ତି ସମ୍ପାଦକ ସଞ୍ଜୟ ବେହେରାଙ୍କ ଟିମ ।
ତେବେ ଏହି ଏକାଡେମୀରେ ରହିବ ଅତ୍ୟାଧୁନିକ ଟ୍ରଫ ଗ୍ରାଉଣ୍ଡ, ଜିମ, ସୁଇମିଙ୍ଗ ପୁଲ ଓ ଖେଳାଳିଙ୍କ ରହିବା ପାଇଁ ପ୍ରକୋଷ୍ଠ । ନୂଆ ତଥା କିଛି ଜାତୀୟ-ଅନ୍ତର୍ଜାତୀୟସ୍ତରର କୋଚିଂ ଷ୍ଟାର୍ଫଙ୍କୁ ଏଥିରେ ସାମିଲ କରିବାକୁ ଯୋଜନା ରଖିଛି ଓସିଏ । ଅନ୍ୟପଟେ ଏହି ମେଗା ପ୍ରୋଜେକ୍ଟ ଘୋଷଣା ପରେ ଭଲ କ୍ରିକେଟ ପ୍ରଶିକ୍ଷଣର ଆଶା ବାନ୍ଧିଛନ୍ତି ଯୁବ ଓଡିଆ କ୍ରିକେଟର ।
ତେବେ ଅପେକ୍ଷା ଭିଜନ 2024 ପରି ଏହି ନୂଆ ଏକଡେମୀ ଘୋଷଣା କେବଳ କାଗଜ କଲମରେ ସୀମିତ ନା କୋରୋନା ମହାମାରୀ ସମୟରେ ଏହାକୁ ଏକ ବାସ୍ତବ ଚିତ୍ର ଦେବ ଓସିଏ ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ