କଟକ: ଚର୍ଚ୍ଚାରେ କଟକର ଏକ ନର୍ସିଂହୋମର ନର୍ସ ନିହାରିକାଙ୍କ ମୃତ୍ୟୁ ଖବର । ନିହାରିକାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନିହାରିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ରାଜା ହତ୍ୟା କରିଥିବା ନେଇ ଝିଅଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ଗତ ସେପ୍ଟେମ୍ବର 9ରେ ପୁରୁଷ ବନ୍ଧୁ ସହ ଏକ ବାଇକରେ ଯାଇଥିବା ନେଇ ସିସିଟିଭିରେ ଜଣାପଡ଼ିଛି ।
ଏନେଇ ମଧୁପାଟଣା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଏମ.ଏମ ମେଡିକେୟାର ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ନିହାରିକା ନିଖୋଜ ହେବା ନେଇ ଥାନାରେ ଏତଲା ଦେଇଥିଲେ । କେବଳ ସେତିକି ନୁହେଁ ନିହାରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଇକରେ ଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏତଲାରେ ଉଲ୍ଲେଖ କରିଛନ୍ତି ।
ତେବେ ଗତକାଲି ବିରିଡି ଅଞ୍ଚଳର ବିଲୁଆ ଖାଇ ନଦୀରୁ ଏକ ଅଖା ଭିତରୁ ନିହାରିକାଙ୍କ ମୃତଦେହ ମିଳିବା ପରେ ଆହୁରି ସନ୍ଦେହ ବଢ଼ି ଯାଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତେବେ ରାଜାର ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିପାରିନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ