କଟକ: ସିଲଭର ସିଟିରେ ବଢିବ ନାହିଁ ସଟଡାଉନ ଅବଧି । କେବଳ ସାପ୍ତାହିକ ସଟ ଡାଉନକୁ ଛାଡି ଦେଲେ ଅନ୍ୟ କୌଣସି ସଟ ଡାଉନ ଲାଗୁ ହେବନି । ଗତ ସୋମବାର ଠାରୁ ଦୁଇଟି ପର୍ଯ୍ୟାୟରେ ସଟଡାଉନ ଲାଗୁ ହୋଇଥିଲା । ଆଗକୁ ଏଥିରେ ବୃଦ୍ଧି କରାଯିବ ନାହିଁ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି ।
ବାଉନ ବଜାର ତେପନ ଗଳିର ସହର କଟକରେ ସଂକ୍ରମଣ ମାମଲା ସାଙ୍ଘାତିକ ବଢୁଛି । ଯାହାକୁ ଦୃଷ୍ଟିରେ ରଖି ସଟଡାଉନର ନିଷ୍ପତି ନେଇଥିଲା ସିଏମସି । ତେବେ ବର୍ତ୍ତମାନ ଏହି ବଡ ପଦକ୍ଷେପକୁ ରୋକ ଲଗାଇଛି କଟକ ମହାନଗର ନିଗମ । ଆସନ୍ତାକାଲି ଠୁ ସ୍ବାଭାବିକ ହେବ ଚଳପ୍ରଚଳ । କିନ୍ତୁ ସାମଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଗତକାଲି ଗୋଟିଏ ଫେକ ଟୁଇଟ ସହରରେ ଘୁରି ବୁଲିଥିଲା । କିନ୍ତୁ ତାହାକୁ ଧ୍ୟାନ ନଦେବା ପାଇଁ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ