କଟକ: ଯୌତୁକ ପାଇଁ ନବବଧୂକୁ ହାଣିଦେଲେ ଶାଶୁଘର ଲୋକେ। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ନବବଧୂ ସୋନିଆ ଦାସ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବେଣ୍ଟକାର ଥାନା ଅନ୍ତର୍ଗତ କୂଳସରିଚୁଆଁ ଅଞ୍ଚଳରେ। ବେଣ୍ଟକାର ଥାନାରେ ଏତଲା ପରେ ସୋନିଆଙ୍କ ସ୍ବାମୀ, ନଣନ୍ଦ, ଶାଶୂ ଆଉ ଶଶୁରଙ୍କୁ ଗିରଫ କରାଯାଇଛି।
ବିବାହର 11 ଦିନ ନପୂରୁଣୁ ନବବଧୂ ପ୍ରତି ଶାଶୁଘରର ଅତ୍ୟାଚାର ସୀମା ଲଙ୍ଘିଛି। ଯୌତୁକ ପାଇଁ ମୁଣ୍ଡ, କାନ, ନାକ, ହାତ ସହ ଶରୀରର ବିଭିନ୍ନ ଅଙ୍ଗ ଶାଶୁଘର ଲୋକେ କାଟି ଦେଇଥିବା ସୋନିଆଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏସସିବିର ଆଇସିୟୁରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୋନିଆ।
ଆହତ ହୋଇଥିବା ମହିଳାଙ୍କ ଭଉଣୀଙ୍କ କହିବାନୁଯାୟୀ, ଗତ 26 ତାରିଖରେ ସୋନିଆ ପ୍ରଭାତ କୁମାର ଦାସଙ୍କୁ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ନପୁରୁଣୁ ଶାଶୁଘର ଲୋକେ 2 ଲକ୍ଷ ଟଙ୍କା ମାଗିଥିଲେ । ତେବେ ଟଙ୍କା ନଦେଇ ପାରିବାରୁ ଗତ 4 ତାରିଖ ଦିନ ମୋ ଭଉଣୀକୁ ଏପରି ନୃଶଂସ ଭାବରେ ହତ୍ୟା ଉଦ୍ୟମ କରିଥିବା କହିଛନ୍ତି ତାଙ୍କ ଭଉଣୀ ।
ଇଟିଭି ଭାରତ, କଟକ