କଟକ: ଆସୁଛି ବାତ୍ୟା ୟସ । ଏହାର ମୁକାବିଲା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲା ମାନଙ୍କ ପାଇଁ ଏସଆରସି କରୁଛନ୍ତି ଘନ ଘନ ଗସ୍ତ । ତେଣୁ ଏବେଠୁ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଅଗ୍ନିଶମ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇଛି । ବାତ୍ୟା ୟସ ମୁକାବିଲା ପାଇଁ NDRF ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି । ବାତ୍ୟା ଆଶଙ୍କା ଥିବା ଜିଲ୍ଲା ମାନଙ୍କୁ କଟକ ମୁଣ୍ଡୁଲି ସ୍ଥିତ NDRFର ତୃତୀୟ ବାଟେଲୀୟନରୁ ଟିମ ପଠାଇବା ଆରମ୍ଭ ହୋଇଛି ।
ଏନେଇ 22 ଟି ଟିମ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ପଠେଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେଥିମଧ୍ୟରୁ 7ଟି ଟିମ୍ ବାଲେଶ୍ଵର, 4 ଟି ଟିମ୍ ଭଦ୍ରକ , 3 ଟି ଟିମ୍ କେନ୍ଦ୍ରାପଡା , 2 ଟି ଟିମ୍ ଯାଜପୁର , ଜଗତସିଂହପୁର ଓ ମୟୂରଭଞ୍ଜ ପାଇଁ ଗୋଟିଏ ଲେଖାଏଁ ଟିମ ମୁତୟନ ରହିବ । ସମସ୍ତ ପ୍ରକାର ଉପକରଣ ସହ ପିପିଇ କିଟ୍ ମଧ୍ୟ ସାଙ୍ଗରେ ରହିଛି । ଯାହା ଉଭୟ କୋଭିଡ ଓ ବାତ୍ୟା ମୁକାବିଲାରେ ସହାୟକ ହେବ ।
ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ 175 ଟି ଟିମ୍ ଗଠନ କରିଛି ରାଜ୍ୟ ଅଗ୍ନିଶମ ବିଭାଗ । ଯେଉଁ ଜିଲ୍ଲା ଗୁଡିକ ରେଡ ଜୋନରେ ରହିଛି ସେଠକୁ ମଧ୍ୟ ଏନଡିଆରଏଫ ଟିମ ପଠାଇବା ଆରମ୍ଭ କରିଛି ବିଭାଗ । ଏହାସହ ଅନ୍ୟରାଜ୍ୟରୁ ମଧ୍ୟ କିଛି ଓଡିଶା ଆସିଛନ୍ତି । ଯାହା ବାତ୍ୟା ମୁକାବିଲାରେ ସହାୟତା କରିବେ । ତେବେ ଗତବର୍ଷ ଅମ୍ଫାନ ସମୟର ଅଭିଜ୍ଞତା ନିଶ୍ଚୟ କାମରେ ଆସିବ କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ