କଟକ: ଅନ୍ଧାରର ଫାଇଦା ଉଠାଉଛନ୍ତି ଲୁଟେରା । ସିଲଭର ସିଟିର ଅନ୍ଧାରୀ ଇଲାକାରେ ସନ୍ଧ୍ୟା ହେଲେ ମାତୁଛନ୍ତି ଲୁଟେରା । ଯାହାକୁ ନେଇ ଚିନ୍ତାରେ ସାଧାରଣ ଜନତା । ଗୋଟେପଟେ ସହରରେ ବିଜୁଳି ନ ଥିବାବେଳେ ଅନ୍ୟପଟେ ଲୁଟେରାଙ୍କ ପ୍ରାଦୁର୍ଭାବ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ।
ବାତ୍ୟା ଫନି ଯିବାର ସପ୍ତାହେ ବିତିଥିଲେ ମଧ୍ୟ ଏଯାଏଁ କଟକରେ ସୁଧୁରିପାରିନି ବିଜୁଳି ସଂଯୋଗ ବ୍ୟବସ୍ଥା । ବିଶେଷ କରି ସିଡିଏର କିଛି ଅଞ୍ଚଳ ଓ ଜଗତପୁରର କିଛି ସ୍ଥାନ ମାନଙ୍କରେ ଲୁଟେରା ମାନେ ବେଶ୍ ସକ୍ରିୟ ଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ କମିଶନରେଟ ପୋଲିସ ସଜାଗ ରହିଛି ବୋଲି କହିଛନ୍ତି ଡିସିପି ଅଖିଳେଶ୍ବର ସିଂ ।
ଡିସିପିଙ୍କ ସୂଚନା ଅନୁସାରେ, ବାତ୍ୟା ଫନି ଆସିବା ପୂର୍ବରୁ ହିଁ ଏହି ଦିଗରେ ବେଶ ଗୁରୁତ୍ବାରୋପ କରିଥିଲା ପୋଲିସ । ସେଥିପାଇଁ ବାତ୍ୟା ଛାଡିବା ପରେ ବିଭାଗ ପକ୍ଷରୁ ପ୍ରତ୍ୟକ ଦିନ ଅନ୍ଧାର ଇଲାକାରେ ପଇଁତରା ମାରୁଛି କମିଶନରେଟ ପୋଲିସ । ଏହାରି ଭିତରେ ମାତ୍ର ଗୋଟିଏ ଘଟଣା ସମ୍ନାକୁ ଆସିଥିବା ବେଳେ ସମସ୍ତ ଅନ୍ଧାରୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଡିସିପି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ