କଟକ: କବାଡି.. କବାଡି ଡାକରେ ଯାହାର ତଣ୍ଟି ଫାଟି ପଡୁଥିଲା.. ଆଜି ସେ ପେଟ ପାଟଣା ପାଇଁ ଖୋଜୁଛି ରାହା । ମହାମାରୀ ଜୀବନ, ଜୀବିକା ସହ ଆଖିରୁ ସ୍ବପ୍ନ ବି ଛଡାଇନେଇଛି । କାଲି ଯିଏ ଅମୀର ଥିଲା ତାକୁ ଆଜି ଫକୀର ସଜେଇଦେଇଛି କିଲର କୋରୋନା । ଏଥିରୁ ବାଦ୍ ପଡିନାହାନ୍ତି ଜଣେ ସଫଳ କ୍ରୀଡାବିତ୍ । ଟ୍ରଫି, ସାର୍ଟିଫିକେଟ, ପଦକ ଏବଂ ଗର୍ବ, ଗୌରବ, ଗାରିମା ଯାହାର ପାଦସ୍ପର୍ଶ କରିଥିଲା ସେ ଆଜି ଦୁଆର ଦୁଆର ବୁଲି ଖାଦ୍ୟ ଡେଲିଭରୀ କରୁଛି । ଓଡିଶା କବାଡି ଦଳର ଅଧିନାୟକ ଜର୍ସିରେ ଯିଏ କାଲି ଝଲସୁଥିଲା ଆଜି ସେ ବୁଲୁଛି ସ୍ବିଗୀର ଡ୍ରେସରେ । ଆମେ କହୁଛି କଟକ ସାଆନ୍ତସାହିରେ ରହୁଥିବା ଓଡିଆ କବାଡି ଦଳର ଅଧିନାୟକ କେ ମାଧବ ରାଓଙ୍କ କଥା । ଜୁନିୟର ଏବଂ ସିନିୟର ଦଳରୁ 10, 10 ଥର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଅର୍ଜନ କରିଥିବା କେ ମାଧବଙ୍କ ଜୀବନ ଏବେ ଅନିଶ୍ଚିତତା ମଧ୍ୟରେ ।
କେ ମାଧବଙ୍କ 29 ବର୍ଷ ବୟସ ମଧ୍ୟରୁ ପୁରା 15 ବର୍ଷ ସେ ଓଡିଶା କବାଡି ଦଳ ପାଇଁ ଉତ୍ସର୍ଗୀକୃତ କରି ଦେଇଛନ୍ତି । ଏହି କ୍ୟାରିୟର ମଧ୍ୟରେ ସେ ରାଜ୍ୟ ପାଇଁ ଅନେକ ସୁନାମ ଆଣିଛନ୍ତି । ହେଲେ ସୁନାମକୁ ନେଇ କେତଦିନ ବା ପେଟ ପୁରିବ । ସମସ୍ତ ସଞ୍ଚିତ ଧନ ସରିଯିବା ପରେ ବର୍ତ୍ତମାନ ଅଧିନାୟକ ସାଜିଛନ୍ତି ସ୍ବିଗୀ ଡେଲିଭର ବୟ । ବାପା, ମାଆ ଏବଂ ଭାଇଙ୍କୁ ମିଶାଇ କେ ମାଧବଙ୍କର 4 କୁଟୁମ୍ବ ପ୍ରାଣୀ । ବାପା ଭାଇଙ୍କର ବେସରକାରୀ ଚାକିରି ଥିଲେ ମଧ୍ୟ ତାହା ଏବେ କୋରୋନା ପାଇଁ ବନ୍ଦ ପଡିଛି । ଫଳରେ ବାଧ୍ୟହୋଇ ପରିବାର ପ୍ରତିପୋଷଣ ପାଇଁ ସ୍ବିଗୀରେ କାମ କରୁଛନ୍ତି କେ ମାଧବ । ଏପଟେ କବାଡିକୁ ନେଇ ବିରାଟ ସ୍ବପ୍ନ, ସେପଟେ ପେଟରେ ଭୋକ । ଏହାରି ମଧ୍ୟରେ ସମୟ ବାହାର କରି ଖେଳ ଅଭ୍ୟାସ କରିବାରେ ଅନେକ ସମସ୍ୟା ସୃଷ୍ଟି ହୁଏ ବୋଲି କେ ମାଧବ କହନ୍ତି । ଏହି ଦୁର୍ଦ୍ଦିନ ମଧ୍ୟରେ ସଫଳ କ୍ରୀଡାବିତର ସ୍ବପ୍ନ ଧିରେ ଧିରେ ଭାଙ୍ଗିଯିବାର ଆଶଙ୍କାରେ ମ୍ରିୟମାଣ କବାଡି କିଙ୍ଗ୍ କେ ମାଧବ ।
କେବଳ କେ ମାଧବ ନୁହନ୍ତି.. ତାଙ୍କ ପରି ଅନେକ ଆଶାୟୀ ଯୁବପୀଢିଙ୍କ ସ୍ବପ୍ନକୁ ଚୁରମାର କରିବାକୁ ବସିଲାଣି ମହାମାରୀ । ଏ ଦୁଃସମୟରେ ଯଦି ସରକାର ସହଯୋଗର ହାତ ନ ବଢାଇବେ ଦିନେ ଯେ କଳା, କ୍ରୀଡା ପରି ବିଭିନ୍ନ ବୃତ୍ତିରେ କଳାବାଦଲ ଘୋଟି ନଯିବ ତାହା କିଏ କହିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ