କଟକ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଛକରେ ୨୧୫ ଜାତୀୟ ରାଜପଥ ଉପରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) କଣ ପଦକ୍ଷେପ ନେଇଛି ସେ ନେଇ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ପୁଣି ଜବାବ ରଖିବାକୁ ଏନଏଚଏଆଇ ତରଫରୁ ଅଧିକ ସମୟ ଲୋଡା ଯାଇଥିଲା । ହାଇକୋର୍ଟ ଏନଏଚଏଆଇକୁ ଜବାବ ରଖିବାକୁ ଦୁଇ ସପ୍ତାହ ମହଲତ ପ୍ରଦାନ କରିବା ସହିତ ଏହି ପ୍ରସଙ୍ଗରେ କଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ଭିତରେ ଏନଏଚଏଆଇ ସତ୍ୟପାଠ ଦାଖଲ କରିବ । ଏହାପରେ ଅଗଷ୍ଟ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦୁଝର ଦେଇ ୨୧୫ ଜାତୀୟ ରାଜପଥ ଯାଇଛି । ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ଏକ ଗୁରୁତ୍ବପୂର୍ଣ୍ଣ ଛକ ହୋଇଥିବା ବେଳେ ଏଠାରେ ଜାତୀୟ ରାଜପଥ ଉପରେ ଏକ ଫ୍ଳାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇଥିଲା। ଚାରିଟି ପଞ୍ଚାୟତର ୩୦ଟି ଗ୍ରାମର ବାସିନ୍ଦା ଏହି ରାସ୍ତାଦେଇ ପ୍ରତିଦିନ ଯା ଆସ କରିଥାନ୍ତି । ଏଥି ମଧ୍ୟରେ ଶତାଧିକ ସ୍କୁଲ କଲେଜ ପିଲା ଅନ୍ତର୍ଭୁକ୍ତ । ପିପିଳିଆ ଛକରେ ବ୍ୟାଙ୍କ, କଲେଜ, ସ୍କୁଲ, ସରକାରୀ କାର୍ଯ୍ୟାଳୟ, ଦୋକାନ-ବଜାର ରହିଛି । ପିପିଳିଆ ଛକ ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ଜାତୀୟ ରଜପଥର ଏହି ସ୍ଥାନରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉ ନଥିବାରୁ ନିୟମିତ ଦୁର୍ଘଟଣା ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଦର୍ଶାଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର, କେନ୍ଦ୍ର ସରକାର, ଏନଏଚଏଆଇକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ।
ଏହି ଦାବି ପୂରଣ ପାଇଁ ପିପିଳିଆ ଆଞ୍ଚଳିକ ବିକାଶ ମଞ୍ଚ ଗଠନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ପିପିଳିଆଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଗଣଧାରଣା ଦିଆଯାଇଥିଲା । ସ୍ଥାନୀୟ ବିସିନ୍ଦାଙ୍କ ଦାବି ପୂରଣ ପାଇଁ ତତ୍କାଳୀନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଏଚଏଆଇ ଓ କେନ୍ଦ୍ର ସଡକ ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଫ୍ଲାଏ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗ ବିଚାରାଧୀନ ଥିବା ବେଳେ ପିପିଳିଆ ଛକର ଦୁଇ ପାର୍ଶ୍ବରୁ ଦୁଇ ଶହ ମିଟର ଛାଡି ଜାତୀୟ ରାଜପଥ ନିର୍ମାଣ କରାଯିବ ବୋଲି ଏନଏଚଏଆଇ କହିଥିଲା । ଅନ୍ୟପକ୍ଷରେ ଜାତୀୟ ରାଜପଥ ନିର୍ମାଣ ବେଳେ ହାତୀ ଚଲାପଥ (ଅଣ୍ଡରପାସ୍) ସ୍ଥାନ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ପିପିଳିଆରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା।
ଏହାପରେ ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରାଯାଇଥିଲା ଯେ, ୨୦୧୭ ସେପ୍ଟେମ୍ବର ୨୦ରେ ଏହି ମାମଲାରେ ଏନଏଚଏଆଇକୁ ନୋଟିସ୍ ଜାରି କରାଯାଇଥିଲା। ୨୦୧୭ ସେପ୍ଟେମ୍ବର ୨୦ରେ ଏହି ମାମଲାରେ ଏନଏଚଏଆଇକୁ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ। ୨୦୨୨, ଏପ୍ରିଲ ୨୬ରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏନଏଚଏଆଇ ଜବାବ ଦାଖଲ କରି ନାହିଁ। ୪ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଏନଏଚଏଆଇ ଜବାବ ଦାଖଲ ନ କରିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଚାରି ସପ୍ତାହ ଭିତରେ ନିଶ୍ଚିତ ଭାବେ ଏହି ମାମଲାରେ ଜବାବ ଦାଖଲ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୂରଜ କୁମାର ମହାପାତ୍ର ଓ ରାଧାରମଣ ଦାସନାୟକ ମାମଲା ପରିଚାଳନା କରୁଛନ୍ତି।
ଇଟିଭି ଭାରତ, କଟକ