କଟକ: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। କୋରୋନା ମହାମାରୀ ସମୟରେ ବହୁ ସଂଖ୍ୟାରେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏବେ ପୂର୍ବଭଳି ପ୍ରବାସୀ ଆଉ ଅଧିକ ସଂଖ୍ୟାରେ ଆସୁ ନାହାନ୍ତି। ଏବେ ପୂର୍ବ ପରିସ୍ଥିତି ଆଉ ନାହିଁ। ଏଥିରେ ସୁଧାର ଆସବା ପରେ ମଧ୍ୟ ସରପଞ୍ଚଙ୍କୁ କେଉଁ କାରଣରୁ ଜିଲ୍ଲପାଳ କ୍ଷମତା ପ୍ରଦାନ ନିଷ୍ପତ୍ତି ବଳବତ୍ତର ରହିଛି ସେ ନେଇ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧, ଜାନୁଆରି ୧୨ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଦ୍ଧେନ୍ଦୁ ନାରାୟଣ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଏପ୍ରିଲ ୧୯ରେ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସରପଞ୍ଚ ଏଭଳି କ୍ଷମତାର ଅପବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା।
ଗତ ଅଗଷ୍ଟ ୧୧ ତାରିଖ ଦିନ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳରେ କେତେକ ଅନୁସୂଚିତ ଜନଜାତି ବର୍ଗର ପରିବାରଙ୍କ ଘରକୁ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ଅଭିଯୋଗ ପରେ ଲୋଇସିଂହା ପୁଲିସ ମହିଳା ସରପଞ୍ଚଙ୍କୁ ଗିରଫ କରିଥିଲା। ସରପଞ୍ଚ କିନ୍ତୁ ନିଜ କାର୍ଯ୍ୟକୁ ସମର୍ଥନ କରି ଜିଲ୍ଲପାଳଙ୍କ କ୍ଷମତା ତାଙ୍କୁ ଦିଆଯାଇଛି ବୋଲି କହିଥିଲେ। ସରପଞ୍ଚଙ୍କୁ ଏପରି କ୍ଷମତା ବ୍ୟବସ୍ଥାର ଆଉ ଆବଶ୍ୟକ ନାହିଁ ବୋଲି ଆବେଦନକାରୀ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ