କଟକ: ବେଆଇନ କଲ୍ୟାଣ ମଣ୍ଡପଗୁଡିକୁ ନିୟମିତ କରିବା ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ । କଟକ ମହାନଗର ନିଗମକୁ ଚରମବାଣୀ ଶୁଣାଇଛନ୍ତି ହାଇକୋର୍ଟ । ବେଆଇନ କଲ୍ୟାଣ ମଣ୍ଡପଗୁଡିକୁ ନେଇ ନିୟମାବଳୀ ପ୍ରସ୍ତୁତି ପାଇଁ ସିଏମସି(CMC) ବାରମ୍ବାର ସମୟ ନେଇଥିବାରୁ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ନଭେମ୍ବର 14 ସୁଦ୍ଧା ନିୟମାବଳୀ ପ୍ରସ୍ତୁତ ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।
ନଭେମ୍ବର 14 ତାରିଖ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ କରିବା ସହ ସରକାରୀ ଅନୁମୋଦନ ନେବାକୁ ତାଗିଦ କରିଛନ୍ତି ହାଇକୋର୍ଟ । ଡିସେମ୍ବର 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
ଏହା ବି ପଢ଼ନ୍ତୁ: ବ୍ରିଟେନ କବଳରେ କୋହିନୂର ସମେତ ଅନେକ ମୂଲ୍ୟବାନ ପଦାର୍ଥ, ଫେରସ୍ତ ପାଇଁ ଉଠିଲା ଦାବି
କଟକ ସହରରେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡ଼ିକର ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ଅଛି କି ନାହିଁ, ଅଳିଆ ଆବର୍ଜନା ଓ ପରିମଳ ସୁବିଧା ଅଛି କି ନାହିଁ । ଏ ସବୁଦିଗକୁ ନଜରରେ ରଖି ନିୟମାବଳୀ ପ୍ରସ୍ତୁତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲାର ପରିଚାଳନା କରୁଛନ୍ତି ।
ଏହାକୁ ନେଇ ଆଇନଜୀବୀ ଅମିତ ପ୍ରସାଦ ବୋଷ କହିଛନ୍ତି, "ଇ ଭେଙ୍କଟ ରାଓ ଓ ଅନ୍ୟଜଣେ ମିଶି ବେଆଇନ କଲ୍ୟାଣ ମଣ୍ଡପକୁ ନେଇ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ଏହାର ଶୁଣାଣି ରାସ୍ତା ଉପରେ ପାର୍କିଂ ଥିବା କଲ୍ୟାଣ ମଣ୍ଡପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହାଦ୍ବାରା ଅନେକ ନିବେଶକଙ୍କ ଟଙ୍କା ନଷ୍ଟ ହେବ । ଏହାକୁ ନେଇ କୋର୍ଟ ସିଏମ୍ସିକୁ ଏଭଳି କଲ୍ୟାଣ ମଣ୍ଡପ ପାଇଁ ଏକ ନୀତି ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସିଏମ୍ସି ୩ ବର୍ଷ ହେଲା ଏହାକୁ ଗଡ଼ାଇ ଚାଲିଛି । ଏଥିଯୋଗୁଁ ଆଜି ସିଏମ୍ସି ଉପରେ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି ।"
କଟକ ସହରରେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡିକ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ନିୟମାବଳୀ ରହିଛି । ଏନେଇ ହାଇକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ରହିଛି । କିନ୍ତୁ ବହୁ କଲ୍ୟାଣ ମଣ୍ଡପ ନିୟମ ପାଳନ ନକରି ଚାଲୁଛି । ଆଉ କେତେକ ବିନା ଲାଇସେନ୍ସରେ ମଧ୍ୟ ଚାଲିଥିବା ଅଭିଯୋଗ ହୋଇଥିଲା ।
କେତେକ କଲ୍ୟାଣ ମଣ୍ଡପର ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ସିଏମସି ସେମାନଙ୍କୁ ପୁନଃଯାଞ୍ଚ ବେଳେ ଲାଇସେନ୍ସ ପ୍ରଦାନ କରିଥିବା ଅଭିଯୋଗ ମଧ୍ୟ ରହିଛି । ଏଭଳି ପ୍ରସଙ୍ଗ ନେଇ ଆମିକସ୍କ୍ୟୁରୀ ପ୍ରଶ୍ନ ଉଠାଇବା ପରେ ହାଇକୋର୍ଟ ସିଏମସି ନିକଟରୁ ଜବାବ ତଲବ କରିଥିଲେ ।
ଇଟିଭି ଭାରତ, କଟକ