କଟକ: ଅବସରର ତିନି ଦଶନ୍ଧି ପରେ ମଧ୍ୟ ଜଣେ ସରକାରୀ କର୍ମଚାରୀଙ୍କୁ ଅବସରକାଳନୀ ପ୍ରାପ୍ୟ ନ ମିଳିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଭଳି ଘଟଣାରେ ସରକାରୀ ଉଦାସୀନତାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆବେଦନକାରୀଙ୍କୁ ତାଙ୍କ ଘରେ ଯାଇ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କାଶୀନାଥ ରଥଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍), ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ଆବେଦନକାରୀଙ୍କ ସପକ୍ଷରେ ରହିଛି ।
ଅବସର ପରେ ୧୯୯୨, ଫେବ୍ରୁଆରୀ ୧ରୁ ଆବେଦନକାରୀଙ୍କ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ଏକ ମାସ ଭିତରେ ହିସାବ କରିବାକୁ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପଞ୍ଚାୟତରାଜ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅବସର ଦିନରୁ ୨୦୦୦, ନଭେମ୍ବର ୨୧ରେ ସ୍ୟାଟ୍ର ରାୟ ପ୍ରକାଶ ପର୍ଯ୍ୟନ୍ତ ବକେୟା ପ୍ରାପ୍ୟ ଉପରେ ଆବେଦନକାରୀଙ୍କୁ ୬ ପ୍ରତିଶତ ସୁଧ ଦିଆଯିବ । ଏହାପରେ ୨୦୧୨, ସେପ୍ଟେମ୍ବର ୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଅବଧି ପାଇଁ ବକେୟା ପ୍ରାପ୍ୟ ଉପରେ ଆବେଦନକାରୀଙ୍କୁ ୮ ପ୍ରତିଶତ ସୁଧ ଦିଆଯିବ । ଏହାପରେ ଆବେଦନକାରୀଙ୍କୁ ବକେୟା ପ୍ରାପ୍ୟ ଉପରେ ୧୦ ପ୍ରତିଶତ ସୁଧ ଦିଆଯିବ ।
ସେ ପାଇବାକୁ ଥିବା ବକେୟା ପ୍ରାପ୍ୟରୁ ଆବେଦନକାରୀଙ୍କୁ ୭ ଦିନ ଭିତରେ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆବେଦନକାରୀ ୧୫ ହଜାର ଟଙ୍କା ମୋକଦ୍ଦମା ବାବଦ ଖର୍ଚ୍ଚ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି । ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାରେ ଆବେଦନକାରୀଙ୍କ ଦସ୍ତଖତ ଆବଶ୍ୟକ ପଡିଲେ କର୍ତ୍ତୃପକ୍ଷ ପ୍ରାଧିକୃତ ବ୍ୟକ୍ତିଙ୍କୁ ଆବେଦନକାରୀଙ୍କ ଘରକୁ ପଠାଇବେ । ଆବେଦନକାରୀଙ୍କୁ ତାଙ୍କ ଆବାସରେ ପ୍ରାପ୍ୟ ହସ୍ତାନ୍ତର କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ବିଂଝାରପୁରରେ ଭିଏଲଡବ୍ଲୁ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ସମ୍ବନ୍ଧୀୟ ବିବାଦକୁ ନେଇ ସ୍ୟାଟରେ ୧୯୯୨ରେ ରୁଜୁ ମାମଲାର ରାୟ ତଙ୍କ ସପକ୍ଷରେ ଯାଇଥିଲା । ୨୦୦୦, ନଭେମ୍ବର ୨୧ର ସ୍ୟାଟଙ୍କ ରାୟ ବିରୋଧରେ ସରକାର ହାଇକୋର୍ଟରେ ଦାଖଲ କରିଥିବା ଆବେଦନ ୨୦୧୧, ଅଗଷ୍ଟ ୧୬ରେ ଖାରଜ ହୋଇଥିଲା । ଏହି ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଏସଏଲପିକୁ ସୁପ୍ରିମକୋର୍ଟ ୨୦୧୨, ସେପ୍ଟେମ୍ବର ୧୯ରେ ଖାରଜ କରିଥିଲେ । ଏହାପରେ ମଧ୍ୟ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ମିଳି ନଥିଲା । ସେ ପୁଣି ୨୦୧୫ରେ ମାମଲା ରୁଜୁ କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ