କଟକ: ବିପଦରେ ଘଡ଼ିଆଳ କୁମ୍ଭୀର। କଟକ ମହାନଦୀରେ ଏକ ଘଡ଼ିଆଳ କୁମ୍ଭୀର ବିପଦରେ ପଡିଛି। ତା ପାଟିରେ ଜାଲ ଛନ୍ଦି ହୋଇପଡିବାରୁ କୁମ୍ଭୀରଟି ପୂର୍ବଭଳି ଆଉ ଚଳପ୍ରଚଳ କରିପାରୁନାହିଁ। ଅନେକ ସମୟରେ ନଦୀ ପଠାରେ ଶୋଇ ରହୁଛି । ଏପରିକି ଖାଦ୍ୟ ଖାଇବାରେ ସମସ୍ୟା ରହୁଥିବା କୁମ୍ଭୀର ସଂରକ୍ଷଣ କମିଟିର ଉପଦେଷ୍ଟା କହିଛନ୍ତି।
ଗତ ଡିସେମ୍ବର ୨ ତାରିଖରେ ମହାନଦୀରେ ୪ ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଥିଲା। ସେମାନଙ୍କ ଠାରେ ସାଟେଲାଇଟ ଟ୍ରାନ୍ସମିଟର ଲଗାଯାଇଥିଲା। ଫଳରେ ସେମାନଙ୍କ ଗତିବିଧି ଜାଣିବାରେ ଏହା ବେଶ ସହାୟକ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଏହି ଜାତିର କୁମ୍ଭୀର କାହାର କିଛି କ୍ଷତି ଘଟାନ୍ତି ନାହିଁ। ଏହି ଘଡ଼ିଆଳ ପ୍ରଜାତିର କୁମ୍ଭୀର ସବୁଠାରୁ ନିରୀହ ଜାତିର। ସେମାନେ କେବଳ ମାଛ ଖାଇଥାଆନ୍ତି।
ତେବେ ଗତ ଡିସେମ୍ବର ୨୬ ତାରିଖରେ ଏକ ଘଡ଼ିଆଳ କୁମ୍ଭୀର ମାଛ ଖାଇବା ସମୟରେ ଏକ ଜାଲରେ ଛନ୍ଦି ହୋଇପଡିଥିଲା। ଏପରିକି ତାର ତଳ ପାଟିରେ ଜାଲଟି ଛନ୍ଦି ହୋଇ ରହିଛି । ତେବେ ଏହି କୁମ୍ଭୀରକୁ ଉଦ୍ଧାର କରି ତାର ପାଟିରୁ ଜାଲ କାଢ଼ିବା ପାଇଁ ଗତକାଲି ଉଦ୍ୟମ କରାଯାଇଥିଲା । ମାତ୍ର ଏଥିରେ ସଫଳତା ମିଳିନଥିଲା। ତେବେ ଆଜି ବନବିଭାଗର 3 ଟି ଟିମ ଓ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ କୁମ୍ଭୀରଟିକୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ତେବେ କୁମ୍ଭୀରଟି ସୁସ୍ଥ ଥିବା ଜଣାପଡିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ