କଟକ: ସିଲଭରସିଟିରେ ବଡ ଦୁଃଖ । କମୁନି ଆଳିଆ ଆବର୍ଜନାର ପରିମାଣ । ରାସ୍ତା କଡ଼ରେ କୁଢ କୁଢ ଅଳିଆ । ଯେତେ ଆଲୋଚନା ପର୍ଯ୍ୟାଲୋଚନା ହେଲେ ମଧ୍ୟ ସ୍ଥିତି ସୁଧୁରିବାର ନାଁ ଧରୁନି । ଯାହାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତେବେ ଏହି ସ୍ଥିତି କେବେ ସୁଧୁରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ କଟକର ଏହି ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଦାୟୀ ବୋଲି କହିଛନ୍ତି କଟକ ବାସିନ୍ଦା । ଏପଟେ ଲୋକ ମାନଙ୍କ ସ୍ବର ସହ ସ୍ବର ମିଶାଇଛନ୍ତି ପୂର୍ବତନ ସିଏମସି କର୍ପୋରେଟର ଅରୁଣ ସେଠି । ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ଯାଇଛି ଏହାଛଡା ମହାନଗର ନିଗମରେ ନିର୍ବାଚନ ବିଳମ୍ବ ହେଉଥିବାରୁ ଏହି ଦୃଶ୍ୟ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କର୍ପୋରେଟର ।
ଅନ୍ୟପଟେ ସ୍ବଚ୍ଛ ଭାରତ ଅଭିଯାନକୁ ଗୁରୁତ୍ବ ଦେଉଥିବା ଜିଲ୍ଲା ପ୍ରଶାସନ ଅଳିଆ ଆବର୍ଜନା ଉପରେ ଧ୍ୟାନ ଦେଉନଥିବାରୁ ସିଲଭରସିଟିର ଦୁଃଖ ବଢିଯାଇଛି । ସହର ସାରା ଆବର୍ଜନା ଭର୍ତ୍ତି କାରଣରୁ ଦୁର୍ଗନ୍ଧରେ ଫାଟି ପଡୁଛି ସହର । କୁକୁର ଓ ଗୋରୁ ଗାଇଙ୍କ ଆଡ୍ଡାସ୍ଥଳ ମଧ୍ୟ ପାଲଟିଛି ଅଳିଆ ସ୍ଥାନ । ତେବେ ଏହା ଉପରେ ଖୁବଶୀଘ୍ର ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ତେବେ କଟକିଆ କ'ଣ କେବେ ବି ଏହି ଅସୁବିଧାରୁ ମୁକୁଳି ପାରିବେନି ? ତେବେ ସାଧାରଣରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ