କଟକ: ଲଘୁଚାପ ଜନିତ ବର୍ଷା ଓ ପରେ ନଦୀରେ ବନ୍ୟପାଣି ଆସିବାରୁ ଉଜୁଡ଼ି ଯାଇଛି ଚାଷୀଙ୍କ ବର୍ଷକ ରୋଜଗାର । ବନ୍ୟାର ବିଭିଷୀକା ଧୋଇନେଲା ପରିବା ଚାଷୀଙ୍କ ସୁନାର ଫସଲ (flood impact on farming) । ୧୦ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ଓଡ଼ିଶା (heavy rainfall in odisha) । ବିଶେଷ ଭାବରେ ଚାଷୀମାନେ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି । କଟକ ଜିଲ୍ଲାରେ ପ୍ରାୟ ୪୦ ହଜାର ହେକ୍ଟର ଚାଷ ଜମି ଏବେ ବନ୍ୟାପାଣି ଘେରରେ ରହିଛି (flood situation in Cuttack) । ସେଥିରୁ ଧାନ ଜମି ପ୍ରାୟ ୩୦ ହଜାର ଓ ଅଣଧାନ ଜମି ପ୍ରାୟ ୧୦ ହଜାର ହେକ୍ଟର ପାଣି ଘେରରେ ରହିଛି। ଫଳରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଚାଷୀ ପରିବାର।
ବନ୍ୟାର କରାଳ ରୂପରେ ହଜାର ହଜାର ହେକ୍ଟର ଜମିରେ ବନ୍ୟାଜଳ ଲହଡ଼ି ଭାଙ୍ଗୁଛି । ଆଉ ଇଏ ହେଉଛି ତାର ଦୃଶ୍ୟ । ଚାଷ ଜମି ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ଯାହାକି ମହାନଦୀର ଭ୍ରମ ସୃଷ୍ଟି କରୁଛି । ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି । ଆଖି ଆଗରେ ପଚି ନଷ୍ଟ ହୋଇଯାଉଛି ବର୍ଷକର ଅକ୍ଲାନ୍ତ ପରିଶ୍ରମ । କଟକ ଜିଲ୍ଲା ବାଙ୍କୀ ବ୍ଲକରେ ପ୍ରାୟ ୯ ହଜାର ଚାଷ ଜମି ଉପରେ ବନ୍ୟା ଜଳ ଜମି ରହିଛି । ଋଣ କରି ଜମିରେ ଫଳାଇଥିଲେ ସୁନାର ଫସଲ ।
ଏକର ଏକର ଜମିରେ ଭେଣ୍ଡି ,କାକୁଡି ,ଜହ୍ନି,ଛଚିନ୍ଦ୍ରା ,ବାଇଗଣ ଆଦି ପନିପରିବାରେ ପୁରି ଉଠିଥିଲା କ୍ଷେତ । ଚାଷ ଭଲ ହେଲେ ଋଣ ସୁଝିବେ ଏବଂ ଗୋଟିଏ ବର୍ଷ ପାଇଁ ସେଥିରୁ ଚଳିଯିବେ। କେତେକ ଚାଷୀ ଥରେ ଥରେ ପରିବା ଆଣି ବଜାରରେ ବିକ୍ରି କରିଥିଲେ ଏବଂ ଆଉ କେତେକ ଫଳର ଅପେକ୍ଷାରେ ଥିଲେ । ମାତ୍ର ବନ୍ୟା ତାଙ୍କ ସ୍ବପ୍ନକୁ ଭାଙ୍ଗି ନଷ୍ଟ କରିଦେଲା । ଋଣ ସୁଝିବା ତ ଦୂରର କଥା ମୂଳ ବି ଚାଲିଯାଇଛି । ଏହି କଥା କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ଚାଷୀ । ଏନେଇ ଚାଷୀ କହିଛନ୍ତି, " ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ତିଆରି କରିଥିବା ଫସଲରେ ଆଜି ଅକାତକାତ ପାଣି । ସରକାର ସହାୟତା କଲେ କିଛିଟା କଷ୍ଟ ଦୂର ହୋଇପାରିବ । " ଅନ୍ୟପଟେ ବିନା ରୋଜଗାରରେ କିଭଳି ଭରଣ ପୋଷଣ ହେବ ସେନେଇ ଚିନ୍ତାରେ ଚାଷୀକୂଳ । ତେବେ ଚାଷୀଙ୍କ ଦୁଃଖ ବୁଝିବ କିଏ? କେବଳ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଚାଷୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ