କଟକ: ସହର ପାଲଟିଛି ଭେଜାଲ ସମଗ୍ରୀର ପେଣ୍ଠସ୍ଥଳି । ପୂର୍ବରୁ ସସ , ସୋୟାବିନ , ଘିଅ , ମସଲା ପରେ ଏବେ ନକଲି ଚା କାରଖାନାର ପାଳି । ଆଜି ସଦର ଥାନା ଅଧିନ ମୁକାମେଶ୍ବର ଅଞ୍ଚଳରୁ 40 କୁଇଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଚା କାରଖନା ଠାଵ କରିଛି କମିଶନରେଟ ପୋଲିସ । ତେବେ ଏହି ନକଲି ଚାରେ ମିଶୁଥିଲା ଅନେକ ଅପମିଶ୍ରିତ ସମଗ୍ରୀ ଯାହା ସ୍ବାସ୍ଥ୍ୟ ପାଇଁ ବେଶ କ୍ଷତି କାରକ । ତେବେ ଏହି ଚା କାରଖାନାକୁ ଠାଵ କରିବା ପରେ ଜଣକୁ ଅଟକ ରଖିଛି ପୋଲିସ ।
ଚା ପିଉଥିଲେ ସାବଧାନ । ଆପଣ ପିଉଥିବା ଚା ହୋଇପାରେ ନକଲି । କାରଣ ବଜାର ରେ ମଧ୍ୟ ଉପଲବ୍ଧ ହେଉଛି ନକଲି ଚା । କାହିଁକି ଏକଥା ଆମେ କହୁଚୁ ତାହା ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହୋଇପଡିବ । କେତେ ସୁରକ୍ଷିତ ଆଜିର ଜନତା । କାରଣ କଟକର ଜାରି ରହିଥିବା ନକଲି କାରଖାନା ଅଭିଯାନରେ ଆଜି ସାମିଲ ହୋଇଛି ଚା । ଯାହା ସମସ୍ତଙ୍କୁ କରିଛି ଆଚମ୍ବିତ । ଦୀର୍ଘ 4 ରୁ 5 ବର୍ଷ ଉର୍ଦ୍ଧ୍ବ ସମୟ ଧରି ଏହି ନକଲି ସାମ୍ରାଜ୍ୟ ଗଢି ଉଠିଥିଲା ସଦର ଥାନା ମୁକାମେସ୍ବର ଅଞ୍ଚଳରେ । ଯାହାର ଟେର ପାଉନଥିଲା ପୋଲିସ । ତେବେ ପରିଶେଷରେ ଏହି କଳା ସାମ୍ରାଜ୍ୟ ଉପରେ ପଡିଛି ପୂର୍ଣଛେଦ । 40 କୁଇଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଚା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ ।
ଅନ୍ୟପଟେ ଏହି ନକଲି ଚା ପିଇଲେ ହୋଇପାରେ ସାଙ୍ଘାତିକ ରୋଗ । କାରଣ ଏହି ଚା ରେ ମିଶୁଛି ଅନେକ ଅପମିଶ୍ରିତ ଦ୍ରବ୍ୟ । ବିଶେଷକରି ଚାକୁଣ୍ଡା ପତ୍ର , କାଠ ଗୁଣ୍ଡ ଓ କେମିକାଲ ମଧ୍ୟ ମିଶାଉଥିଲେ ଉକ୍ତ ବ୍ୟବସାୟୀ। ତେବେ ଏହା କେବଳ କଟକ ନୁହେଁ ଅନ୍ୟ ଜିଲ୍ଲାକୁ ମଧ୍ୟ ପଠାଉଥିଲା ସେ । ତେବେ ଏହି 5 ବର୍ଷ ମଧ୍ୟରେ ଅନେକ ବ୍ୟକ୍ତି ଏହି ଚା କୁ ପିଇଥିବା ନିଶ୍ଚୟ । ତେବେ ଲ୍ୟାବ ଟେଷ୍ଟ ପରେ ଏହି ଚା ର ପ୍ରକୃତ ରୂପ ସମ୍ନାକୁ ଆସିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ। ବର୍ତ୍ତମାନ ପର୍ଯ୍ୟନ୍ତ ସଦର ଅଞ୍ଚଳରେ 3 ଟି ନକଲି କାରଖନା ଠାଵ କରିଛି ପୋଲିସ ।
ସିଲଭରସିଟିରେ କଳଙ୍କ ଲଗାଉଛି ନକଲି କାରଖାନା । ଏଯାବତ 22 ରୁ ଉର୍ଦ୍ଧ ନକଲି କାରଖାନା ଠାଵ କରି ସାରିଲାଣି କମିଶନରେଟ ପୋଲିସ । ତେବେ ପ୍ରଥମ କରି ନକଲି ଚା କାରଖାନା ଠାଵ ହେବା ପରେ ଖାଉଟିଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ ପ୍ରଶ୍ନ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ