କଟକ: ଦିଗପହଣ୍ଡିର ରାଧା ଦାମୋଦରଜୀୟୁ ବିଜେଙ୍କ ସମ୍ପତ୍ତି ବିକ୍ରିକୁ ନେଇ ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ଅଦାଲତ ମାମଲାର ଶୁଣାଣି କରି ଉପରୋକ୍ତ ବିକ୍ରି ଜମି ଉପରେ କୌଣସି କିଣା, ବିକା କିମ୍ବା ନିର୍ମାଣ କରାଯାଇପାରିବ ନାହିଁ ବୋଲି ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଆଦେଶ ପ୍ରଦାନ କରିଛନ୍ତି ଯେ, ଯେଉଁମାନଙ୍କୁ ସମ୍ପତ୍ତି ବିକ୍ରି କରାଯାଇଛି ସେମାନଙ୍କ ତାଲିକା ଅଦାଲତଙ୍କ ନିକଟରେ ତିନି ଦିନ ମଧ୍ୟରେ ଦାଖଲ କରିବେ । ଆସନ୍ତା ଏକସପ୍ତାହ ମଧ୍ୟରେ ସମସ୍ତ କ୍ରୟ କରିଥିବା ବ୍ୟକ୍ତି ଏହି ମାମଲରେ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଭାରତୀୟ ବିକାଶ ପରିଷଦର ତରଫରୁ ରୁଜୁ ହୋଇଥିଲା ଏହି ଜନସ୍ୱାର୍ଥ ମାମଲା । ମାମଲାରେ ଦର୍ଶାଯାଇଛି ଯେ, ରାଧା ଦାମୋଦର ମହାପ୍ରଭୁ ଦିଗପହଣ୍ଡିର ଦିଗପହଣ୍ଡି ମୌଜା ଅନ୍ତର୍ଗତ ୫ ଏକର ୯୦୦ ଡେଶିମିଲ ଜମିକୁ ଓଡିଶା ହିନ୍ଦୁ ରିଲିଜିୟନ ଏଣ୍ଡୋମେଣ୍ଟ ଆକ୍ଟ ଧାରା ୧୯ ଅନୁଯାୟୀ ଏଣ୍ଡୋମେଣ୍ଟ କମିଶନର୍ ଏକର ପ୍ରତି ୧୪ ଲକ୍ଷ ଅପସେଟ ମୂଲ୍ୟ ନିର୍ଦ୍ଧାରଣ କରି ଥିବାବେଳେ ବିଭାଗୀୟ ମନ୍ତ୍ରୀ ଜମିର ଏକର ପ୍ରତି 7 ଲକ୍ଷ ବେନିୟମ ଭାବେ ସ୍ଥିର କରି ବିକ୍ରି କରିବା ପାଇଁ ଆଦେଶ ପ୍ରଦାନ କରିଥିଲେ ।
ରାଧାଦାମୋଦର ମହାପ୍ରଭୁଙ୍କ ଟ୍ରଷ୍ଟ ବୋର୍ଡ ଉପରୋକ୍ତ ଜମିକୁ ୬୪ ଗୋଟି ବିକ୍ରୟ କବଲା କରି ଭାଗ ଭାଗ କରି ବିଭିନ୍ନ ଲୋକଙ୍କ ନାମରେ ସବ୍ ରେଜିଷ୍ଟର ଦିଗପହଣ୍ଡିରେ ରେଜିଷ୍ଟ୍ରି କରିଥିଲେ । ଆଜି(ଶୁକ୍ରବାର) ଉକ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରହିତାଦେଶ ପ୍ରଦାନ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ