କଟକ: ଆସନ୍ତାବର୍ଷ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ ସମସ୍ତ ରାଜନୈତିକ ଦଳ ସଂଗଠନ ସଜାଡିବାକୁ ଚଳାଇଛନ୍ତି କସରତ । ଆଜି ବିଜେଡି ବିଧାୟକ ଦେବୀ ମିଶ୍ର ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ବଡମ୍ବା ନରସିଂହପୁର ରେ ମଧ୍ୟ ସଂଗଠନ ସଜାଡିବାକୁ ଉଦ୍ୟମ କରୁଥିବା ବେଳେ ହୋଇଛନ୍ତି ସାଂଘାତିକ ଅପଦସ୍ତ ।
ଦେବୀ ମିଶ୍ର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେବାକୁ ଆଣି ହଟହଟା ହୋଇଛନ୍ତି । ପ୍ରସନ୍ନ ଙ୍କୁ ନେଇ ଦେବୀ ମିଶ୍ର ପହଞ୍ଚିବା ପରେ ବାସେଳିହତା ଛକରେ ବିଜେଡିର 2 ଗୋଷ୍ଠି ମୁଁହା ମୁହିଁ ହୋଇଥିଲେ । ଯାହାକୁ ନେଇ ସର୍ବସାଧାରଣରେ ଅପଦସ୍ତ ହୋଇଛନ୍ତି ବିଧାୟକ ଦେବୀ ମିଶ୍ରଙ୍କ ସହ ବାବା ପ୍ରସନ୍ନ ପାଟଶାଣୀ।
ଘଟଣା ଅନୁସାରେ ଦେବୀ ମିଶ୍ରଙ୍କୁ ବିରୋଧ କରି ବାସେଳିହତା ଛକରେ ଦଳର ଶିବ ମହାଳିକ ଏବଂ ବିର ଧଳଙ୍କ ଗୋଷ୍ଠି ମୁଁହାମୁହିଁ ହୋଇଥିଲେ । ବାସେଳିହତା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରି ଖୋଦ ବିଜେଡି ନେତା ମାନେ ନିଜ ବିଧାୟକଙ୍କୁ ଘେରିଥିଲେ । ଏପରିକି ବିଧାୟକ ଦେବୀ ମିଶ୍ରଙ୍କୁ ଠେଲା ପେଲା କରିବାକୁ ପଛାଇ ନଥିଲେ । ଏହାକୁ ନେଇ ଏବେ ବିଜେଡିରେ ଅନ୍ତଃକନ୍ଦଳ ବ୍ୟାପକ ହୋଇଥିବା ଚର୍ଚ୍ଚା ହେଉଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ