କଟକ: ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ସନ୍ଦେହ । ସିଡିଏ ସରକାରୀ କ୍ବାଟର୍ସରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କୁ ଅଚେତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ତଦନ୍ତ ପରେ ଜଣାପଡିବ ।
ବିଚାରପତି ସୁବାସ ନିଜ ସରକାରୀ ବାସଭବନରେ ଆଜି ଆତ୍ମହତ୍ୟା କରିଛନ୍ତି । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ତେବେ ଏହି ଖବର ପ୍ରଚାର ହେବା ପରେ ହସ୍ପିଟାଲ ନିକଟରେ ଆଇନଜୀବୀଙ୍କ ଭିଡ଼ ଜମିଥିଲା । ସେ ଜଣେ ମେଳାପୀ ବ୍ୟକ୍ତି ଥିଲେ । ଅନେକ ମାମଲାର ବିଚାର କରି ସେ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଥିଲେ । ଆଜି ସେ ଛୁଟିରେ ରହିଥିଲେ । ନିକଟରେ ସେ କିଛି ଦିନ ହେବ ଛୁଟିଲେ ଥିଲେ । ତେବେ ଆଜି ଜଏନ କରିବା ବଦଳରେ ଆଉ ଗୋଟିଏ ଦିନ (ଆଜି) ଛୁଟି ମାଗିଥିଲେ । ଏପଟେ ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ନିଆଯାଇଛି ।
ତେବେ ତାଙ୍କ ବେକରେ ଏକ ଦାଗ ରହିଥିବା ଆଇନଜୀବୀ କହିଛନ୍ତି । ଘଟଣାର ତଦନ୍ତ ପରେ ମୃତୁର କାରଣ ଜଣାପଡିବ। ଆଜି ତାଙ୍କ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ ଥିବା ମଧ୍ୟ ଜଣାପଡିଛି । ଏ ନେଇ ଆଇନଜୀବୀ ଅରୁଣ ବୁଦ୍ଧିଆ କହିଛନ୍ତି, " ଯାହା ଜଣାପଡୁଛି ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ବେକରେ ଦାଗ ରହିଛି । କଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ବଡ଼ ପ୍ରଶ୍ନ । ସେ ପୋକ୍ସୋ କୋର୍ଟରେ ଜଜ୍ ଥିଲେ । ନାବାଳିକା ଦୁଷ୍କର୍ମର ମାମଲାର ଶୁଣାଣି କରନ୍ତି । ଅନେକ ସମ୍ବେଦନଶୀଳ ମାମଲାର ଶୁଣାଣି କରିଥାନ୍ତି । କଣ ପାଇଁ ଏପରି କଲେ ତାହା ତଦନ୍ତ ସାପେକ୍ଷ । ସେ ଜଣେ ସରଳ ମଣିଷ । ସେ ଆଜି ସକାଳେ ଛୁଟି ନେଇଥିଲେ । ଏହି ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ ।"
ଏହା ବି ପଢନ୍ତୁ- Subashree Death Case: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡ ଯୁବକ
ସେପଟେ ସରକାରୀ ଓକିଲ ରମେଶ ମହାନ୍ତି କହିଛନ୍ତି, " ସୁବାସଭାଇ ଯାଜପୁରରେ ଓକିଲାତି କରନ୍ତି । ତାଙ୍କ ସହ ଆମର ଭଲ ସମ୍ପର୍କ । ସେ ଜଣେ ଭଲ ଅଫିସର ଥିଲେ । ସେଭଳି ଲୋକ ଏପରି ଏକ ଚରମ ପଦକ୍ଷେପ ନେବେ ତାହା ବିଶ୍ବାସ ହେଉନି । ଏହା ବ୍ୟକ୍ତିଗତ ଭାବେ ମୋତେ ଦୁଃଖିତ କରିଛି ।" ସେପଟେ ଅନ୍ୟ ଜଣେ ଆଇନଜୀବୀ କହିଛନ୍ତି ଯେ ତାଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଥିଲା । ସେଥିଲାଗି ସେ ମେଡିସିନ ଖାଉଥିଲେ । ଏହା ବଡ଼ ସମସ୍ୟା ନୁହେଁ । କୋର୍ଟରୁ ମଧ୍ୟ କୌଣସି ଚାପ ନଥିଲା । ସେ ଏପରି କାହିଁକି କଲେ ତାହା ଆଶ୍ଚର୍ଯ୍ୟଜନକ ।
ବିଚାରପତିଙ୍କ ଘର ଯାଜପୁରରେ ହୋଇଥିବା ବେଳେ ତାଙ୍କର ୨ଟି ଝିଅ ଓ ପତ୍ନୀ ଅଛନ୍ତି । ତେବେ ତାଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କ ମୃତଦେହକୁ ଘରୋଇ ହସ୍ପିଟାଲରୁ ବ୍ୟବଚ୍ଛେଦ ପାଇଁ ଏସସିବିରେ ଭର୍ତ୍ତି ହୋଇଛି । ଅନ୍ୟପଟେ ବିଚାରପତି ଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ସେ(ବିଚାରପତି) ତାଙ୍କ ପରିବାର ସହ ( ଦୁଇ ଝିଅ ଓ ସ୍ତ୍ରୀ) ରହୁଥିଲେ।କେତେବେଳେ କେତେବେଳେ ଗାଁ କୁ ଯାଉଥିଲେ।ମାତ୍ର ଆତ୍ମହତ୍ୟା ର କଣ କାରଣ ହୋଇଥିବ ସେ ଜାଣିନାହାନ୍ତି।ତେବେ ଆଜି ତାଙ୍କ ଭାଉଜ ଙ୍କ ଠାରୁ ଏହି ଖବର ପାଇଥିଲେ।
ଇଟିଭି ଭାରତ, କଟକ