କଟକ: ପରମ୍ପରାର ହୋଇଛି ବିଜୟ । କଟକ ବୁଢା ଗଣେଶ ବିସର୍ଜନ ମାମଲାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୧୮ ତାରିଖ ପରିବର୍ତ୍ତେ ୨୫ ତାରିଖରେ ଭସାଣି ହେବେ ବୁଢା ଗଣେଶ । ଦ୍ଵିତୀୟା ଘାଣ୍ଟ ଖାଇ ବୁଢା ଗଣେଶ ବିଦାୟ ନେବେ । କଟକରେ ମୋଟ ୧୪ଟି ବୁଢା ଗଣେଶ ପୂଜା ପାଉଥିବା ବେଳେ ତାହା ୨୫ ତାରିଖରେ ବିସର୍ଜନ ହେବେ । ଏନେଇ ଗତକାଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶକୁ ନେଇ ଏବେ ଶାନ୍ତି କମିଟି ଓ ପୂଜା କମିଟିଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କାରଣ ଏଠାରେ କଟକର ପରମ୍ପରାର ବିଜୟ ହୋଇଛି । ଏଥିପାଇଁ ସେମାନେ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବୁଢା ଗଣେଶ ସର୍ବଦା ଦ୍ୱିତୀୟ ଘାଣ୍ଟ ପରେ ହିଁ ବିସର୍ଜନ ହୁଅନ୍ତି । ଏହା ପ୍ରଥା ରହିଛି । କିନ୍ତୁ ନିର୍ଦ୍ଧାରିତ ତୃତୀୟ ରବିବାର ଦ୍ଵିତୀୟା ଘାଣ୍ଟ ପ୍ରଥା ରହୁଥିବାରୁ ସେହି ଦିନ ବୁଢା ଗଣେଶ ଭସାଣି କରିବା ପ୍ରଥା ବିରୁଦ୍ଧ ଅଟେ । ତେଣୁ ଏହି ସଂକ୍ରାନ୍ତରେ ହାଇକୋର୍ଟରେ ମମାଲା ପହଞ୍ଚିବା ପରେ ଗତକାଲି କୋର୍ଟ ଦେଇଥିବା ନିର୍ଦ୍ଦେଶ କଟକିଆଙ୍କୁ ଆନନ୍ଦ ଓ ଆଶ୍ୱସ୍ତି ଦେଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୬, ୨୦୧୫ ତାରିଖରେ ଗଣେଶ ବିସର୍ଜନ ପାଇଁ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁଥିରେ ପୂଜା ପରବର୍ତ୍ତୀ କ୍ରମାଗତ ୩ଟି ରବିବାରରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ମିଳିଥିଲା । ଶେଷ ରବିବାରରେ ବୁଢା ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦେଶ ରହିଥିଲା । ପ୍ରତ୍ୟକ ବର୍ଷ ପ୍ରତି ରବିବାରରେ ଗଣେଶ ବିସର୍ଜନ କରାଯାଉଥିଲା । ଚଳିତବର୍ଷ ତୃତୀୟ ରବିବାରରେ ବୁଢା ଗଣେଶ ବିସର୍ଜନ ହେବା କଥା ।
ଏହାମଧ୍ୟ ପଢନ୍ତୁ: ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, 4 ଘଣ୍ଟା ଦର୍ଶନ ବନ୍ଦ
ତୃତୀୟ ରବିବାର ଦ୍ଵିତୀୟା ଘାଣ୍ଟ (ଓଷା) ପଡୁଥିବାରୁ ପରମ୍ପରା ଅନୁସାରେ ମୂର୍ତ୍ତି ବିସର୍ଜନ କରିବା ଅନୁଚିତ ଦର୍ଶାଇ ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, "ଏହି ଆବେଦନର ଶୁଣାଣି କରି ୧୮ ତାରିଖ ପରିବର୍ତ୍ତେ ଏହାର ପରବର୍ତ୍ତୀ ରବିବାର ଅର୍ଥାତ ଆସନ୍ତା ୨୫ ତାରିଖରେ ମୂର୍ତ୍ତି ବିସର୍ଜନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।"
ଇଟିଭି ଭାରତ, କଟକ