କଟକ: ସିଲ୍ଭର୍ ସିଟିରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା । ବର୍ତ୍ତମାନ ଦୁଇ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି(CDA rape victims to undergo with medical test) । ଦୁଷ୍କର୍ମ ଘଟଣା ପରେ ପୀଡ଼ିତା ଡାକ୍ତରୀ ମାଇନା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ଉଭୟଙ୍କ ଡାକ୍ତରୀ ମାଇନା କରାଇବେ ବୋଲି କହିଛନ୍ତି ।
ସିଡିଏ ଥିବା ଏକ ବସ୍ତିରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଗିରଫ କରିଛି । ତେବେ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଉଭୟଙ୍କ ଡାକ୍ତରୀ ମାଇନା କରାଯିବ । ବର୍ତ୍ତମାନ ପୀଡ଼ିତାଙ୍କୁ ସୁରକ୍ଷା ଗୃହରେ ରଖାଯାଇଛି । ଏହାକୁ ନେଇ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ମନ୍ଦାକିନୀ ଜେମା କହିଛନ୍ତି, "ସଚେତନତା ଅଭାବ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି । ପ୍ରଥମେ ପିତାମାତା ଏହି ଦିଗରେ ସଚେତନ ହେବା ଆବଶ୍ୟକ । ଏଭଳି ମାମଲାରେ ଧମକ ଦେଇ ଚାପ ପକାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖାଯାଉଛି । ଏହା ଅତ୍ୟନ୍ତ ଘୃଣ୍ୟ କାମ । ତେବେ ଏହି ଦିଗରେ ଛୋଟ ପିଲାଙ୍କୁ ପ୍ରଥମେ ତାଙ୍କ ପିତାମାତା ସଚେତନ କରାଇବା ଆବଶ୍ୟକ ।"
ଏହା ବି ପଢ଼ନ୍ତୁ ୨ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
କଟକ ଡିସିପିଙ୍କ ସୂଚନା ଅନୁଯାୟୀ ସିଡ଼ିଏ ସ୍ଥିତ ଏକ ବସ୍ତିର ନାବାଳିକାଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା । ତେବେ ଏଭଳି ଅଭିଯୋଗ ଆସିବା ପରେ ଅଭିଯୁକ୍ତ ବିରୋଧରେ ପୋକ୍ସୋ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ ।
ଏନେଇ କଟକ ଡିସିପି ପିନାକ ମିଶ୍ର କହିଥିଲେ, "୨୧ ବର୍ଷୀୟ ଅଭିଯୁକ୍ତ ସେହି ବସ୍ତିର । ତେବେ ସେହି ଅଞ୍ଚଳରେ ଦୁଇଟି ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଗତ ୧୪ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆମେ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ତେବେ ଉଭୟ ନାବାଳିକାଙ୍କୁ ଶିଶୁ ସୁରକ୍ଷା କମିଶନ ଜିମା ଦିଆଯାଇଛି । ସେମାନଙ୍କର କାଉନସେଲିଂ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"