କଟକ: ଉଚ୍ଚ ନ୍ୟାୟାଳୟରେ ବିଧାୟକ କଲୋନୀରେ ଗଛକଟା ମାମଲାର ଶୁଣାଣି । ବିଧାୟକଙ୍କ କ୍ୱାଟରରେ ଗଛ କାଟିବା ପ୍ରସଙ୍ଗରେ ହାଇକୋର୍ଟରେ ଜବାବ ରଖି ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଥିବା କହିଛନ୍ତି ରାଜ୍ୟ ସରକାର । ଆସନ୍ତା ସେପ୍ଟେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିବା ସହ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ।
ତେବେ ଭୁବନେଶ୍ବରରେ ବିଧାୟକଙ୍କ ନୂଆ କ୍ବାଟର୍ସ ପାଇଁ ଚାଲିଥିବା ଗଛ କଟାକୁ ବିରୋଧ କରି ସମାଜସେବୀ ଜୟନ୍ତ ଦାସ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ପୂର୍ବ ଶୁଣାଣିରେ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କେତେ ଗଛ କଟାଯାଇଛି, କେଉଁ ଉଦ୍ଦେଶ୍ୟରେ କଟାଯାଇଛି, ଏହା ଆଇନ ଅନୁଯାୟୀ କଟାଯାଇଛି କି ନାହିଁ ସମସ୍ତ ତଥ୍ୟକୁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁନ ୨୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ଥିବାବେଳେ ଆଜି(ବୁଧବାର) ଉଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣି କରାଯାଇଛି ।
ଗଛ କାଟିବା ବନ୍ଦ କରିବା ପାର୍ଥନା କରି ସମାଜସେବୀ ଜୟନ୍ତ ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏଥିସହ କଟାଯାଇଥିବା ଗଛଗୁଡିକର କ୍ଷତିପୂରଣ ଦେବାକୁ କୋର୍ଟରେ ପାର୍ଥନା କରିଥିଲେ ଆବେଦନକାରୀ । ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇ ଏହି ମାମଲା ରୁଜୁ କରାଯାଇଛି ।
ଇଟିଭି ଭାରତ, କଟକ