କଟକ: ଦୃଢ ମନୋବଳ ଆଉ ଇଚ୍ଛାଶକ୍ତି ଆଗରେ ହାର ମାନେ ପ୍ରତିଟି ବାଧାବିଘ୍ନ । ସ୍ବପ୍ନକୁ ସାକାର କରିବାର ନିଶା ଥରେ ଘାରିଲେ ସମସ୍ୟା, ବାଧା ଓ ପ୍ରତିବନ୍ଧକ କେବଳ ଶବ୍ଦ ଲାଗିବ ମାତ୍ର । ଯଦି ସ୍ବପ୍ନକୁ ପୂରଣ କରିବାର ଜୁନୁନ ଥିବ ତେବେ ଅସମ୍ଭବ ବି ସମ୍ଭାବନାର ସଞ୍ଚାର ସୃଷ୍ଟି କରିବ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି, ନୂଆ କିଛି କରିବାର ସ୍ବପ୍ନ ଦେଖିଥିବା କଟକର ବୋହୂ ନମିତା ସାହୁ ।
ସମସ୍ୟା କି ଅସମ୍ଭବ ତାଙ୍କ ପଥ ହୁଡିବାକୁ ସାହସ କରିନାହିଁ । କାରଣ ଦିନ-ରାତି ଏକ କରି ବିନା ଗୁରୁରେ ଜଣେ ଚିତ୍ରକାରର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଦିବାସୀମାନଙ୍କ ଚଳଣିକୁ ନେଇ ତାଙ୍କର ସ୍ବତନ୍ତ୍ର ଚିତ୍ରକଳା ଆଜି ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବଲାଙ୍ଗୀରର ଝିଅ କଟକର ବୋହୂ ସାଜିଛନ୍ତି ନମିତା । ଗୃହିଣୀ ହେଲେ ମଧ୍ୟ ଘର କାମରୁ ସମୟ ବାହାର କରି ଚିତ୍ର ଅଙ୍କନ କରନ୍ତି । ଆଜକୁ ପ୍ରାୟ ୭ ରୁ ୮ ବର୍ଷ ହେବ ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି ସେ । ଏଥିପାଇଁ ସେ କେବେ କୌଣସି ଗୁରୁଙ୍କ ସାହାଯ୍ୟ ଲୋଡିନାହାନ୍ତି । ବାସ୍ ପିଲାଟି ଦିନରୁ ଗୋଟିଏ ଅଭିଳାଷ ଥିଲା, ଆଦିବାସୀଙ୍କ ଚାଲିଚଳଣିକୁ ରଙ୍ଗର ତୂଳିରେ ଜୀବନ ଭରିଦେବା । ଆଉ ଏହାକୁ ବାସ୍ତବର ରୂପ ଦେବା ପାଇଁ ଦିନ-ରାତି ଏକ କରିଦେଇଛନ୍ତି ।
ଘର, କାନ୍ଥ, ବାଡ ଯେଉଁଠି ପାଉଥିଲେ ରଙ୍ଗ ତୁଳି ଧରି ଗାରେଇ ପକାଉଥିଲେ । ଆଉ ଆଜି ତାଙ୍କ ପ୍ରଚେଷ୍ଟା ସ୍ବପ୍ନକୁ ଜୀବନ୍ୟାସ ଦେଇଛି । କଟକରେ ପ୍ରଦର୍ଶିତ ହେଉଥିବା ନୌବାଣିଜ୍ୟ ସଂଗ୍ରହାଳୟରେ ତାଙ୍କର ୨୦୦ ରୁ ଊର୍ଦ୍ଧ୍ବ ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଯାହା କେବଳ ଆଦିବାସୀଙ୍କ ଜୀବନଶୈଳୀ ଉପରେ ପର୍ଯ୍ୟବେସିତ ।
ସ୍ବାମୀଙ୍କ ପ୍ରେରଣାରେ ଚିତ୍ର ଅଙ୍କନ କରିବା ଆରମ୍ଭ କରିଥିବା ନମିତା କହିଛନ୍ତି । ଏହି ଚିତ୍ରକଳାକୁ ଘର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର ମଧ୍ୟ କରାଯାଇପାରିବ । ଏହାଦ୍ୱାରା ଜଣେ ବ୍ୟକ୍ତି ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ସ୍ଵଚ୍ଛଳ ହୋଇପାରିବ ବୋଲି କହିଛନ୍ତି ବରିଷ୍ଠ ଚିତ୍ରଶିଳ୍ପୀ ରବି ରଥ । ତେବେ ଗୁରୁ ନ ଥାଇ ମଧ୍ୟ ନମିତା ଆଙ୍କିଥିବା ଚିତ୍ରକଳା ସମସ୍ତଙ୍କୁ ମୁଗ୍ଧ କରିଛି । ସେ ଯେ, ଆଉ ଜଣେ ଏକଲବ୍ୟଙ୍କ ଉଦାହରଣ ସୃଷ୍ଟି କରିଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଜଣେ ଗୃହିଣୀ ହୋଇ ମଧ୍ୟ ପିଲାଟି ଦିନରୁ ଦେଖିଥିବା ସ୍ବପ୍ନକୁ ସାକାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନମିତା । ଆଗକୁ ଏହିପରି ଚିତ୍ରକଳା କରି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ନାମ କମାନ୍ତୁ ବୋଲି ସମସ୍ତଙ୍କ ଆଶା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ