କଟକ: ସୁପରଷ୍ଟାରଙ୍କ ସମ୍ପର୍କରେ ଫାଟ । ଅନୁଭବ-ବର୍ଷାଙ୍କ ଘରୋଇ କଳିରେ ନୂଆ ଟ୍ବିଷ୍ଟ । ଗତକାଲି କଟକ ଏସଡିଜିଏମ କୋର୍ଟରେ ଘରୋଇ ହିଂସା ନେଇ ଅନୁଭବଙ୍କ ବିରୋଧରେ ବର୍ଷା ପିଟିସନ ଦାଖଲ ପରେ ଆଜି ଘଟଣାରେ ଆସିଛି ନୂଆ ମୋଡ । ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପିଟିସନ ଦାଖଲ କରିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । 47 ପୃଷ୍ଠା ବିଶିଷ୍ଟ ଏହି ପିଟିସନରେ ରହିଛି ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ।
ବାହାଘର ଦୀର୍ଘ ଦିନ ପରେ ମଧ୍ୟ ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉ ନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ଫଳରେ ସମ୍ପର୍କକୁ ନେଇ ଅସନ୍ତୋଷ ମନେ କରୁଥିବା ପିଟିସନରେ ଲେଖିଛନ୍ତି ସାଂସଦ ।
ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ପରେ ଉଭୟଙ୍କ ସମ୍ପର୍କରେ ସୁଧାର ଆଣିବାକୁ ଅନୁଭବ ଚେଷ୍ଟା କରିଥିଲେ । ଏପରି କି ନିଜ ଜନ୍ମଦିନରେ ସବୁ କିଛି ଠିକଠାକ୍ କରିବାକୁ ଅନୁଭବ ଚେଷ୍ଟା କରୁଥିଲେ ବୋଲି ପିଟିସନରେ କହିଛନ୍ତି । ମାତ୍ର ବର୍ଷା ତାଙ୍କ କଥା ମାନି ନଥିଲେ । ଅନୁଭବଙ୍କ ଘର ଖାଦ୍ୟ ବର୍ଷାଙ୍କୁ ଭଲ ଲାଗୁ ନଥିଲା । ସେ ବହୁ ସମୟରେ ଶାଶୁଘର ଛାଡି ବାପ ଘରେ ରହୁଥିବା ଅନୁଭବ ପିଟିସନରେ ଉଲ୍ଲେଖ କରିଛନ୍ତି ।
ତେବେ କେନ୍ଦ୍ରାପଡାରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ସେ ବର୍ଷାଙ୍କୁ ଦିଲ୍ଲୀ ନେଇଥିବା ପିଟିସନରେ ଉଲ୍ଲେଖ ରହିଛି । ମାତ୍ର ଦିଲ୍ଲୀରେ ଗୃହ ପ୍ରବେଶ ଦିନ ବର୍ଷା ସାମିଲ ହୋଇ ନଥିଲେ ବୋଲି ଅନୁଭବ ଅଭିଯୋଗ ଆଣିଛନ୍ତି । ଏପରିକି ଗୃହ ପୂଜାରେ ସାମିଲ ହେବାକୁ ଅନୁଭବ ବର୍ଷାଙ୍କୁ ଅନୁରୋଧ କରିଥିଲ ମଧ୍ୟ ବର୍ଷା ମନା କରି ଦେଇଥିବା ସେ ପିଟିସନରେ କହିଛନ୍ତି ।
ସେହିପରି ଜୁନ 2015ରେ ବର୍ଷାଙ୍କୁ ମନାଇବା ପାଇଁ ଅନୁଭବ ତାଙ୍କୁ ଆମେରିକା ନେଇଥିଲେ । ସମ୍ପର୍କରେ ସୁଧାର ଆଣିବାକୁ ଅନୁଭବ ସେଠାରେ ଅନେକ ଆୟୋଜନ କରିଥିଲେ । ମାତ୍ର ଆମେରିକାରେ ମଧ୍ୟ ସମ୍ପର୍କ ନ ରଖିବାକୁ ମନା କରି ଦେଇଥିଲେ ବର୍ଷା । 2016ରେ ଅନୁଭବ ଓ ସହ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ବର୍ଷା ମିଛ ଅଭିଯୋଗ ଆଣିଥିବା ପିଟିସନରେ ଲେଖାଯାଇଛି ।
ତେବେ 2019 ମେ ପରଠାରୁ ବର୍ଷା ଅନୁଭବଙ୍କ ଠାରୁ ଅଲଗା ରହୁଥିବା ନେଇ ପିଟିସନରେ କୁହାଯାଇଛି । ଆସନ୍ତା ଅକ୍ଟୋବର 7ରେ ଅନୁଭବଙ୍କ ପିଟିସନର ଶୁଣାଣି ହେବାର ସୂଚନା ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ