କଟକ: ଅଫଲାଇନ ମାଟ୍ରିକ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ବିଭ୍ରାଟ ଅଭିଯୋଗ । ରେଗୁଲାର ଓ ଏକ୍ସ ରେଗୁଲାର ମଧ୍ୟରେ ପ୍ରଶ୍ନପତ୍ର ଓଲଟପାଲଟ ତ ପୁଣି ଚଳିତବର୍ଷ ପରୀକ୍ଷାର୍ଥୀଙ୍କୁ ମିଳିଛି 2014 ମସିହା ପାର୍ଟନର ପ୍ରଶ୍ନପତ୍ର । ଏପରି ପରିଚାଳନାଗତ ଅବ୍ୟବସ୍ଥାର ଅଭିଯୋଗ ଆସିଛି କଟକ ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲରୁ । ପରୀକ୍ଷାର୍ଥୀ ଏପରି ଅଭିଯୋଗ ଆଣିବା ପରେ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।
ପରୀକ୍ଷାର୍ଥୀ କରିଥିବା ଅଭିଯୋଗ ଅନୁସାରେ, ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ମିଳିଥିବା ପ୍ରଶ୍ନପତ୍ର ୨୦୧୪ ପାର୍ଟନର ବୋଲି ଜାଣିବାକୁ ପାଇଥିଲେ ପରୀକ୍ଷାର୍ଥୀ । ପରେ ଅଭିଯୋଗ କରିବାରୁ ଏହାକୁ ତୁରନ୍ତ ବଦଳାଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଅନ୍ୟ ଏକ ଅଭିଯୋଗ ଅନୁସାରେ ରେଗୁଲାର ଓ ଏକ୍ସ ରେଗୁଲାର ବର୍ଗରେ ମଧ୍ୟ ପ୍ରଶ୍ନପତ୍ର ଅଦଳବଦଳ ହୋଇଛି ।ଏନେଇ ଜଣାପଡିବା ପରେ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।ଏପରି କିନ୍ତୁ ଏପରି ଅବ୍ୟବସ୍ଥା ଉପରେ ସ୍କୁଲ କର୍ତ୍ତୁପକ୍ଷ କିଛି ପ୍ରତିକ୍ରିୟା ରଖି ନ ଥିଲାବେଳେ ବୋର୍ଡ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ଅଭିଭାବକ ।
ତେବେ ଅନଲାଇନରେ ଠିକ ମୂଲ୍ୟାଙ୍କନ ହୋଇନଥିବା ଅଭିଯୋଗ ଆଣି ପୁନର୍ବାର ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । କିନ୍ତୁ ଅଫଲାଇନରେ ଏପରି ପରିଚାଳନାଗତ ତୃଟି ପିଲାଙ୍କ ଭବିଷ୍ୟତ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ