କଟକ: ମେ' 3 ତାରିଖରୁ ଦିନ 2 ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ଦୋକାନ ବଜାର । 2 ଟା ପରଠାରୁ କଟକର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ମହାନଗର ନିଗମ କମିଶନର ଅନନ୍ୟା ଦାସ ।
ସମସ୍ତ ବଜାର କମିଟି ଓ ପୂଜା କମିଟି ସହ ଆଲୋଚନା ପରେ ଏପରି ନିଷ୍ପତି ନିଆଯାଇଛି । ତେବେ ଏହି ବନ୍ଦରେ ଗମନାଗମନ ଉପରେ ରୋକ ଲାଗିବନି । କେବଳ ଜରୁରୀକାଳୀନ ସେବା ଯେପରି ଔଷଧ ଦୋକାନ ଖୋଲା ରହିବ ।
ତେବେ ଏହାଦ୍ୱାରା ସଂକ୍ରମଣ ରୋକାଯାଇ ପାରିବ ବୋଲି ବୈଠକରେ ଆଲୋଚନା ହୋଇଛି । ଏହି ବନ୍ଦ ଅବଧି 18 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।
ସେହିପରି ମହାନଗର ନିଗମ ଅଧୀନରେ ମୋଟ 59 ଟି ୱାର୍ଡରେ ଡୋର ଟୁ ଡୋର କୋଭିଡ ଟେଷ୍ଟ ପାଇଁ ଆହୁରି ମୋବାଇଲ ୟୁନିଟ ମୁତୟନ କରାଯିବ ବୋଲି ସିଏମସି କମିଶନର କହିଛନ୍ତି । ଏହାସହ ଯେତିକି କୋଭିଡ ଟେଷ୍ଟ ହୁଏ ସମସ୍ତ ତଥ୍ୟ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ପଠାଯିବ । ସେଠାରେ ଟେଷ୍ଟିଂ କରିଥିବା ବ୍ୟକ୍ତି ସେମାନଙ୍କ ରିପୋର୍ଟ ସହଜରେ ପାଇ ପାରିବେ ।
ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମେଡିକାଲ ବେଡ଼ ବୃଦ୍ଧି ପାଇଁ ମଧ୍ୟ ସ୍ଥିର ହୋଇଛି । ଉଭୟ ସରକାରୀ ଓ ବେସରକାରୀ ମେଡିକାଲରେ ବେଡ଼ ବୃଦ୍ଧି କରାଯିବ । ଏସିବି ମେଡିକାଲରେ ଆଇସିୟୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ